ଓ୍ବିଙ୍ଗସ ଇଣ୍ଡିଆ-୨୦୨୪ରେ ଓଡ଼ିଶାକୁ ଏକ ନମ୍ବର ମାନ୍ୟତା

ଭୁବନେଶ୍ବର: ବିମାନ ସଂଯୋଗୀକରଣରେ ଓଡ଼ିଶା ଦେଶରେ ଶ୍ରେଷ୍ଠ । ହାଇଦ୍ରାବାଦରେ ଅନୁଷ୍ଠିତ ଓ୍ବିଙ୍ଗସ ଇଣ୍ଡିଆ-୨୦୨୪ରେ ଓଡ଼ିଶାକୁ ଏକ ନମ୍ବର ମାନ୍ୟତା । ରାଜ୍ୟରୁ ଅନ୍ୟ ରାଜ୍ୟକୁ ବିମାନ ସେବା ଆରମ୍ଭ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟର ସ୍ଥାନ ହାତେଇଛି । ଫଳରେ ଦ୍ରୁତଗତିରେ ଗମନାଗମନର ସୁବିଧା ମିଳିବ ସହ ଆର୍ଥିକ ଅଭିବୃଦ୍ଧି ଘଟିଛି । ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସକୁ ଜାତୀୟ ସ୍ତରରେ ମିଳିଛି ଏହି ବଡ଼ ସ୍ବୀକୃତି । ବିକଶିତ ଓଡ଼ିଶା ଗଠନରେ ବିମାନ ସେବା ଗମନାଗମନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ବ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

ସାକାର ହୋଇଛି ସ୍ବପ୍ନ । ସୁଗମ ହୋଇଛି ବିମାନଯାତ୍ରା । ରାଜ୍ୟରୁ ଅନ୍ୟ ରାଜ୍ୟକୁ ହୋଇଛି  ସଂଯୋଗୀକରଣ । ବଦଳି ଯାଇଛି ଅର୍ଥନୀତି, ସୁଦୃଢ ହେବାରେ ଲାଗିଛି ପର୍ଯ୍ୟଟନ ଶିଳ୍ପ । ଆକାଶ ମାର୍ଗରେ ନୂଆ ଇତିହାସ ସୃଷ୍ଟି କରିଛି ଓଡ଼ିଶା ।

କଳାହାଣ୍ଡିର ଉତକେଲା, ମାଲାକାନାଗିରି, ଜୟପୁର, ରଙ୍ଗେଇଲୁଣ୍ଡା, ଝାରସୁଗୁଡ଼ା ଓ ରାଉରକେଲାକୁ ବିମାନସେବା ଆରମ୍ଭ ହୋଇଛି । ଏହା ବିମାନଯାତ୍ରା ସୁଗମ କରିଥିବା ବେଳେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ମାତ୍ର କେଇ ଘଣ୍ଟା ଭିତରେ ଯାତାୟତ ହୋଇପାରୁଛି । ବିମାନସେବା କ୍ଷେତ୍ରରେ ରାଜ୍ୟକୁ ରାଜ୍ୟ ସଂଯୋଗୀକରଣରେ ନିରନ୍ତର ପ୍ରୟାସ ଓଡ଼ିଶାକୁ ଜାତୀୟ ସ୍ତରରେ ସ୍ବୀକୃତି ଦେଇଛି । ହାଇଦ୍ରାବାଦରେ ଅନୁଷ୍ଠିତ ଓ୍ବିଙ୍ଗସ ଇଣ୍ଡିଆ ୨୦୨୪ରେ ଓଡ଼ିଶାରେ ବିମାନସେବା ପାଇଁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ମିଳିଛି ।