ଖୋର୍ଦ୍ଧା ନିକଟରେ ୧୦୦ ଏକର ଜମିରେ ସ୍ବତନ୍ତ୍ର ବୟନ ଶିଳ୍ପ ହେବ
ଭୁବନେଶ୍ବର: ଖୋର୍ଦ୍ଧା ନିକଟରେ ୧୦୦ ଏକର ଜମିରେ ସ୍ବତନ୍ତ୍ର ବୟନ ଶିଳ୍ପ ହେବ । ବୟନ ଶିଳ୍ପ କ୍ଷେତ୍ରରେ ରାଜ୍ୟକୁ ନିବେଶର ଏକ ପସନ୍ଦର ସ୍ଥଳରେ ପରିଣତ କରିବା ଲାଗି ରାଜ୍ୟ ଶିଳ୍ପ ବିଭାଗ ଉଦ୍ୟମ କରୁଛି। ଖୋର୍ଦ୍ଧା ନିକଟରେ ୧୦୦ ଏକର ଜମିରେ ସ୍ବତନ୍ତ୍ର ବୟନ ପୁଞ୍ଜ ସ୍ଥାପନ କରିବା ପାଇଁ ଦେଶର ପ୍ରମୁଖ ବୟନ ଶିଳ୍ପ ନିବେଶକମାନଙ୍କୁ ସରକାର ଆମନ୍ତ୍ରଣ କରିଛନ୍ତି। ବୟନ ଶିଳ୍ପ ଦଳ ର ପ୍ରତିନିଧିମାନେ ଓଡ଼ିଶା ପରିଦର୍ଶନରେ ଆସିଛନ୍ତି। ସେମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମିନୁ କ୍ରିଏସନ୍ସ, ପୁଜା ଇଣ୍ଟରନ୍ୟାସନାଲ୍, ବିଏଲ୍ ଇଣ୍ଟରନ୍ୟାସନାଲ୍, ସୋନୁ ଏକ୍ଜିମ୍ କଂପାନିର ଅଧିକାରୀମାନେ ଆସିଛନ୍ତି। ସେମାନେ ନିଜ ପାଇଁ ଉପଯୁକ୍ତ ଜମି ଚିହ୍ନଟ କରିବେ। ଏଥି ସହିତ ନିବେଶ ବିଷୟରେ ନିଷ୍ପତ୍ତି ନେବେ। ନିକଟରେ ଇପିକଲ୍ ପକ୍ଷରୁ ସେମାନଙ୍କ ସହ ଆଲୋଚନା କରାଯାଇଥିଲା। ଖୋର୍ଦ୍ଧାରେ ସ୍ଥାପନ ହେବାକୁ ଥିବା ପୁଞ୍ଜରେ ପ୍ରତିଟି ଶିଳ୍ପକୁ କାରଖାନା ସ୍ଥାପନ ଲାଗି ୧୦ ଏକର ଲେଖାଏଁ ଜମି ପ୍ରଦାନ କରିବାର ଯୋଜନା ରହିଛି। ସେଠାରେ ସେମାନେ ରପ୍ତାନିକୁ ଦୃଷ୍ଟିରେ ରଖି କାରଖାନା ବସାଇବେ। ଉକ୍ତ ପୁଞ୍ଜରେ ଇଡ୍କୋ ଚାରି ଲେନ୍ର ରାସ୍ତା, ବିଦ୍ୟୁତ ସଂଯୋଗ, ପାଣି ଓ ଇଟିପି ଭଳି ସୁବିଧାସୁଯୋଗ ପ୍ରଦାନ କରିବ।