ଡିଜିଟାଲ ପ୍ରଯୁକ୍ତିକୁ ସାର୍ବଜନୀନ କରିଛି ଭାରତ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ – ବିଶ୍ୱ ଦୂରସଞ୍ଚାର ମାନକ ସମାବେଶ (ଡବ୍ଲୁଟିଏସଏ) ୨୦୨୪କୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ମଧ୍ୟ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ।

ପ୍ରଧାନମନ୍ତ୍ରୀ ଏହି ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଞ୍ଚାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ପେମସାନି, ଆଇଟିୟୁର ମହାସଚିବ ସୁଶ୍ରୀ ଡୋରିନ ବୋଗଡାନ-ମାର୍ଟିନ, ବିଭିନ୍ନ ଦେଶର ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି, ଶିଳ୍ପ ନେତା, ଦୂରସଞ୍ଚାର ବିଶେଷଜ୍ଞ, ଷ୍ଟାର୍ଟଅପ୍ ଜଗତ ସହ ଜଡ଼ିତ ଯୁବବର୍ଗ ଏବଂ ଡବ୍ଲୁଟିଏସଏ ଓ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି)ରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଆଇଟିୟୁର ଅତିଥିମାନଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ପ୍ରଥମ ଡବ୍ଲୁଟିଏସଏ ବୈଠକ ପାଇଁ ଭାରତକୁ ଗନ୍ତବ୍ୟସ୍ଥଳ ଭାବରେ ଚୟନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଏବଂ ପ୍ରଶଂସା କରିଥିଲେ । ଦୂରସଞ୍ଚାର ଏବଂ ଏହା ସହ ଜଡ଼ିତ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ହେଉଛି ସବୁଠାରୁ ଅଗ୍ରଣୀ ଦେଶ ବୋଲି ଶ୍ରୀ ମୋଦୀ କହିଥିଲେ । ଭାରତର ଉପଲବ୍ଧି ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଭାରତରେ ୧୨୦ କୋଟି ବା ୧୨୦୦ ନିୟୁତ, ୯୫ କୋଟି କିମ୍ବା ୯୫୦ ନିୟୁତ ଇଣ୍ଟରନେଟ୍ ଉପଭୋକ୍ତା ଅଛନ୍ତି । ଏଠାରେ ବାସ୍ତବ ସମୟରେ ସମଗ୍ର ବିଶ୍ୱର ୪୦% ରୁ ଅଧିକ ଡିଜିଟାଲ କାରବାର ହେଉଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଡିଜିଟାଲ ସଂଯୋଗ କିପରି ଶେଷ ସେବା ପହଞ୍ଚାଇବା ଲାଗି ଏକ ପ୍ରଭାବଶାଳୀ ଉପକରଣ ପାଲଟିଛି ତାହା ଭାରତ ପ୍ରଦର୍ଶନ କରିଛି। ବିଶ୍ୱ ଦୂରସଞ୍ଚାର ମାନକ ଉପରେ ଆଲୋଚନା କରିବା ଏବଂ ଦୂରସଞ୍ଚାର ଭବିଷ୍ୟତ ଉପରେ ଆଲୋଚନା ପାଇଁ ଭାରତକୁ ଗନ୍ତବ୍ୟସ୍ଥଳ ଭାବରେ ଚୟନ କରିଥିବାରୁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।