GST ନିୟମରେ ବଡ଼ ପରିବର୍ତ୍ତନ

ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ କେନ୍ଦ୍ର ସରକାର GST ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବର୍ତ୍ତମାନ ୫ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବ୍ୟବସାୟ କରୁଥିବା ବ୍ୟବସରୟୀମାନେ ଇ-ଚାଲାଣ(e-Invoice) ବିନା ଇ-ୱେ ବିଲ୍(e way Bill) ଜେନେରେଟ କରିପାରିବେ ନାହିଁ । ଦ୍ରବ୍ୟ ଏବଂ ସେବା କର(GST) ନିୟମ ଅନୁଯାୟୀ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ୫୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ମୂଲ୍ୟର ଜିନିଷ କାରବାର ପାଇଁ ଇ-ୱେ ବଲ ଆବଶ୍ୟକ ହୋଇଥାଏ । ନକଟରେ ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର(NIC) ଏକ ଯାଞ୍ଚରୁ ଜାଣିବାକୁ ପାଇଛି ଯେ ଏମିତି ଅନେକ ଟିକସଦାତାମାନେ ଅଛନ୍ତି ଯେଉଁମାନେ ବିଜନେସ୍ ଟୁ ବିଜନେସ୍ ଏବଂ ବିଜନେସ୍ ଟୁ ଏକ୍ସପୋର୍ଟ ଟ୍ରାନଜେକ୍ସନ ପାଇଁ ଇ- ଚାଲାଣ ବିନା ଇ-ୱେ ବିଲ୍ ଜେନେରେଟ୍ କରୁଛନ୍ତି । ଏହା ନିୟମର ଉଲ୍ଲଂଘନ ଅଟେ । ଅନେକ ସମୟରେ ଏହି ବିଜନେସର ଇ-ୱେ ବିଲ୍ ଇ-ଚାଲାଣ ସହ ମ୍ୟାଚ୍ କରିନଥାଏ ।

ଗାଡ଼ି ଦରରକୁ ଲକ୍ଷ ଲକ୍ଷ ଟଙ୍କା କମ୍‌ କରିଦେଇଛି ମାରୁତି ସୁଜୁକି

ଜୀବନରେ କିଛି ହଉ କି ନ ହଉ; ନିଜ ନାମରେ ଘର ଓ ଗାଡ଼ିଟିଏ କରିବାର ସ୍ବପ୍ନ କାହାର ବା ନଥାଏ! ଘର ତ ଅତି ବଡ଼ ସ୍ବପ୍ନ। ହେଲେ ଚାରିଚକିଆ ଗାଡ଼ି ଚଳାଇବାର ଇଚ୍ଛା ଆଜିକାଲା ପ୍ରାୟ ସଭିଙ୍କ ଭିତରେ। ହେଲେ ଟଙ୍କାକୁ ଡରି ଲୋକେ ନିଜ ସ୍ବପ୍ନକୁ ମାରିପକାନ୍ତି। ଏବେ କିନ୍ତୁ ଆଉ କାହାକୁ ତାଙ୍କ ସ୍ବପ୍ନ ମାରିବାକୁ ପଡ଼ିବ ନାହିଁ। କାରଣ ଗାଡ଼ି ଦରରକୁ ଲକ୍ଷ ଲକ୍ଷ ଟଙ୍କା କମ୍‌ କରିଦେଇଛି ଦେଶର ସର୍ବବୃହତ କାର୍ ନିର୍ମାତା ମାରୁତି ସୁଜୁକି।

ମାରୁତି ସୁଜୁକି ଆଜି ଏହାର କାର୍‌ଗୁଡ଼ିକର ମୂଲ୍ୟ ହ୍ରାସ ଘୋଷଣା କରିଛି। କମ୍ପାନି ଘୋଷଣା କରିଛି ଯେ ମାରୁତି ୱାଗନ-ଆର ଠାରୁ ଆରମ୍ଭ କରି ଅଲ୍ଟୋ ଏବଂ ଇଗ୍ନିସ୍ ଭଳି ଛୋଟ କାରଗୁଡ଼ିକର ମୂଲ୍ୟ ୧.୨୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି। କାରର ମୂଲ୍ୟରେ ଏହି ହ୍ରାସ ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବ।

ମାରୁତି ସୁଜୁକି ଦ୍ୱାରା ଜାରି ଏକ ସରକାରୀ ବିବୃତିରେ କୁହାଯାଇଛି ଯେ ସାମ୍ପ୍ରତିକ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ର ଲାଭ ସିଧାସଳଖ ଗ୍ରାହକମାନଙ୍କୁ ଦିଆଯିବ। ଏହାକୁ ନେଇ କମ୍ପାନି ତାର ପୋର୍ଟଫୋଲିଓରେ ଅନ୍ତର୍ଭୁକ୍ତ ମଡେଲଗୁଡ଼ିକର ମୂଲ୍ୟ ହ୍ରାସ ଘୋଷଣା କରିଛି। ତେବେ ଆସନ୍ତୁ ଦେଖିବା କେଉଁ କାରର ମୂଲ୍ୟ କେତେ ହ୍ରାସ ପାଇଛି।

ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ (ମାର୍କେଟିଂ ଏବଂ ବିକ୍ରୟ) ପାର୍ଥୋ ବାନାର୍ଜୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କାରର ମୂଲ୍ୟ ହ୍ରାସ କରାଯିବ। ମୂଲ୍ୟ ହ୍ରାସରେ ଗାଡ଼ିର ବୈଶିଷ୍ଟ୍ୟ ଏବଂ ପ୍ରଯୁକ୍ତିବିଦ୍ୟାରେ କୌଣସି ପରିବର୍ତ୍ତନ ଅନ୍ତର୍ଭୁକ୍ତ ନୁହେଁ।

ଏହି ନୂତନ ମୂଲ୍ୟ ଅପଡେଟ୍ ପରେ, ଅଲ୍‌ଟୋ କେ୧୦ ଆଉ ମାରୁତି ସୁଜୁକିର ସବୁଠାରୁ ଶସ୍ତା କାର ନୁହେଁ। ପ୍ରକୃତରେ, ମାରୁତି ଏସ୍‌-ପ୍ରେସୋ ଏବେ କମ୍ପାନିର ପୋର୍ଟଫୋଲିଓରେ ସବୁଠାରୁ ଶସ୍ତା କାର ପାଲଟିଛି। ଏହି କାରର ସର୍ବାଧିକ ମୂଲ୍ୟ ₹୧,୨୯,୬୦୦ ହ୍ରାସ ପାଇ ୩୪୯,୯୦୦ ଟଙ୍କାରେ ପହଞ୍ଚିଛି।

ସେହିପରି ମାରୁତି ସ୍ୱିଫ୍ଟ ଏବେ ମାତ୍ର ୫.୭୯ ଲକ୍ଷ ଟଙ୍କାରୁ ଆରମ୍ଭିକ ମୂଲ୍ୟରେ ଉପଲବ୍ଧ। ମାରୁତି ସୁଜୁକି ଏହାର ଲୋକପ୍ରିୟ କାର ସ୍ୱିଫ୍ଟର ମୂଲ୍ୟ ୮୪,୬୦୦ ଟଙ୍କା ହ୍ରାସ ଘୋଷଣା କରିଛି।

ଏହା ସହିତ, ବାଲେନୋର ମୂଲ୍ୟ ୮୬,୧୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଯାହା ଫଳରେ ଏହାର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୫.୯୯ ଲକ୍ଷ ଟଙ୍କା ହୋଇଛି। ମାରୁତି ଡିଜାୟାର ବର୍ତ୍ତମାନ ମାତ୍ର ୬.୨୬ ଲକ୍ଷ ଟଙ୍କାରୁ ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ।

ପୂଜା ଋତୁ ପାଇଁ ସୁନା ଓ ରୁପା ମହଙ୍ଗା ହେବାରେ ଲାଗିଛି, ରୂପା କେଜି ଲକ୍ଷେ ୪୪ ହଜାର

ପୂଜା ଋତୁ ପାଖେଇ ଆସିଥିବା ବେଳେ ସୁନା ଓ ରୁପା ମହଙ୍ଗା ହେବାରେ ଲାଗିଛି। ଭୁବନେଶ୍ବରରେ ମଙ୍ଗଳବାର ରୁପା କେଜି ୧୦୦୦ ଟଙ୍କା ବୃଦ୍ଧି ପାଇ ରେକର୍ଡ ୧,୪୪,୦୦୦ ଟଙ୍କାରେ ପହଞ୍ଚିଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୦୦ ଟଙ୍କା ବୃଦ୍ଧି ପାଇ ୧,୦୨,୬୦୦ ଟଙ୍କା ହୋଇଛି। ସେହିଭଳି ୨୪ କ୍ୟାରେଟ୍ ସୁନା ଦାମ୍ ୮୭୦ ଟଙ୍କା ବଢ଼ି ୧,୧୧,୯୩୦ ଟଙ୍କାରେ ପହଞ୍ଚିଛି। ଜାତୀୟ ସ୍ତରରେ ମଧ୍ୟ ସୁନା ମହଙ୍ଗା ହୋଇଛି।ସର୍ବଭାରତୀୟ ସରାଫା ସଂଘ ସୂଚନା ଅନୁସାରେ ଦିଲ୍ଲୀରେ ୯୯.୫ ଶୁଦ୍ଧତାର ସୁନାର ୧୦ ଗ୍ରାମ ପିଛା ଦାମ୍ ୧୮୦୦ ଟଙ୍କା ବୃଦ୍ଧି ପାଇବା ସହ ଟିକସକୁ ମିଶାଇ ୧,୧୪,୬୦୦ ଟଙ୍କା ହୋଇଛି। ରୁପା ଦାମ୍ ମଧ୍ୟ ୫୭୦ ଟଙ୍କା ବୃଦ୍ଧି ପାଇ ୧,୩୨,୮୭୦ ଟଙ୍କା ହୋଇଛି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍‌ ରିଜର୍ଭ ସୁଧ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଯାଉଥିବାରୁ ସୁନା ଦର ବଢ଼ୁଛି। ଏହା ବ୍ୟତୀତ ଦୁର୍ବଳ ଡଲାର ମଧ୍ୟ ଦରବୃଦ୍ଧିର ଅନ୍ୟତମ କାରଣ କୁହାଯାଉଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ୩,୭୩୬.୯୭ ଡଲାରରେ ପହଞ୍ଚିଛି।

ୟୁପିଆଇ ଜରିଆରେ ଟଙ୍କା ଉଠାଇବା ସୁବିଧା ଖୁବଶିଘ୍ର

ୟୁପିଆଇ ମାଧ୍ୟମରେ ଯେଭଳି ଲୋକମାନେ ଟଙ୍କା ଉଠାଇ ପାରିବେ, ସେଥିପାଇଁ ବ୍ୟବସ୍ଥା କରାଯାଉଛି। ବିଶେଷ କରି ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଞ୍ଚଳର ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟି ଦିଆଯାଇଛି। ଦେଶବ୍ୟାପୀ ଥିବା ବିଜନେସ୍ କରେସ୍‌ପଣ୍ଡେଣ୍ଟ୍‌ (ବିସି) ନେଟ୍‌ୱର୍କକୁ ବ୍ୟବହାର କରି ୟୁପିଆଇ ଜରିଆରେ ଲୋକମାନଙ୍କୁ ଟଙ୍କା ଉଠାଇବା ସୁବିଧା ଦିଆଯିବ। ବର୍ତ୍ତମାନ କେବଳ ୟୁପିଆଇ ଉଠାଣ ସୁବିଧା ଥିବା ଏଟିଏମ୍‌ଗୁଡ଼ିକରୁ ୟୁପିଆଇ ଜରିଆରେ ଟଙ୍କା ଉଠାଇ ହେଉଛି।। ସେହିପରି ହାତଗଣତି କିଛି ବ୍ୟବସାୟୀଙ୍କୁ ସହରାଞ୍ଚଳରେ ଥରକୁ ୧୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୨୦୦୦ ଟଙ୍କା ପ୍ରଦାନ କରିବାର ଅନୁମତି ଦିଆଯାଇଛି। କିନ୍ତୁ ବିକାଶ କରାଯାଉଥିବା ନୂଆ ବ୍ୟବସ୍ଥା ବିସି ଆଉଟ୍‌ଲେଟ୍‌ରେ କ୍ୟୁଆର୍‌ କୋଡ୍ ସୁବିଧା ରହିବ। ଲୋକମାନେ ନିଜ ୟୁପିଆଇ ଆପ୍‌ରେ ସେହି କୋଡ୍‌କୁ ସ୍କାନ୍ କରି ଟଙ୍କା ଉଠାଇପାରିବେ। ବିସି ହେଉଛି ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ବ୍ୟାଙ୍କର ଆଉଟ୍‌ଲେଟ୍‌ ଭାବେ କାମ କରୁଛନ୍ତି। ଦେଶରେ ୨୦ ଲକ୍ଷ ପାଖାପାଖି ବିସି ରହିଛନ୍ତି।କ୍ୟୁଆର୍‌ କୋଡ୍ ସ୍କାନ୍ କରି ଟଙ୍କା ଉଠାଣ ସୁବିଧା ଆରମ୍ଭ କରିବାକୁ ନ୍ୟାସ୍‌ନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମତି ଲୋଡ଼ାଯାଇଛି। ‌ଏପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଅନୁମୋଦନ ମିଳିନାହିଁ। ବର୍ତ୍ତମାନ ବ୍ୟବସ୍ଥା ବିକାଶ ପର୍ଯ୍ୟାୟରେ ରହିଛି। ଏହି ବ୍ୟବସ୍ଥାରେ ଟଙ୍କା ଉଠାଇବାକୁ ଚାହୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟରୁ ଟଙ୍କା କଟିବ ଓ ସେହି ରାଶି ବିସି ଖାତାରେ ଜମା ହେବ। ଏହି ବ୍ୟବସ୍ଥା ବାୟୋମେଟ୍ରିକ୍ ଉଠାଣ ଓ ଏଟିଏମ୍ ଉଠାଣର ବିକଳ୍ପ ଭାବେ କାର୍ଯ୍ୟ କରିବ।

୫ ଟଙ୍କାର ଚିପ୍ସ, ବିସ୍କୁଟ, ୧୦ ଟଙ୍କାର ସାବୁନ ଓ ୨୦ ଟଙ୍କାର ଟୁଥପେଷ୍ଟର ଦାମ ଅପରିବର୍ତ୍ତିତ ରହିବ

କେନ୍ଦ୍ର ସରକାର ଜିଏସଟି ସଂସ୍କାରରେ ବଡ଼ ପରିବର୍ତ୍ତନ ଆଣିଛନ୍ତି, ଯାହା ଦୈନନ୍ଦିନ ଜୀବନରେ ବ୍ୟବହୃତ ଜିନିଷକୁ ଶସ୍ତା କରିବ। ଜିଏସଟି କାଉନସିଲ ଅନେକ ଜିନିଷରେ ଟିକସ ହାର ହ୍ରାସ କରି ୫% ଓ ୧୮% ଦୁଇଟି ଟିକସ ହାରକୁ ଅନୁମୋଦନ କରିଛି। ନୂଆ ହାର ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ। ଏହାଦ୍ୱାରା ବିସ୍କୁଟ, ସାବୁନ, ଟୁଥପେଷ୍ଟ ଭଳି ଜିନିଷ ଶସ୍ତା ହେବ। ତେବେ ଏକ ରିପୋର୍ଟ ଅନୁସାରେ, ଏଫଏମସିଜି କମ୍ପାନୀମାନେ କହିଛନ୍ତି ଯେ ୫ ଟଙ୍କାର ଚିପ୍ସ, ବିସ୍କୁଟ, ୧୦ ଟଙ୍କାର ସାବୁନ ଓ ୨୦ ଟଙ୍କାର ଟୁଥପେଷ୍ଟର ଦାମ ଅପରିବର୍ତ୍ତିତ ରହିବ। କାରଣ, ଭାରତୀୟ ଗ୍ରାହକ ଏହି ମାନକ ମୂଲ୍ୟରେ ଅଭ୍ୟସ୍ତ। ୧୦ କିମ୍ବା ୨୦ ଟଙ୍କା ବଦଳରେ ୯ କିମ୍ବା ୧୮ ଟଙ୍କା କଲେ ଗ୍ରାହକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ, ଯାହା ସେମାନଙ୍କ କ୍ରୟ ଅଭ୍ୟାସ ଓ ବିକ୍ରି ଉପରେ ପ୍ରଭାବ ପକାଇବ। ଏହି ପଦକ୍ଷେପ ଗ୍ରାହକଙ୍କ ସୁବିଧା ଓ ବଜାର ସ୍ଥିରତା ମଧ୍ୟରେ ସନ୍ତୁଳନ ରକ୍ଷା କରିବ।

ମେକ୍‌ ଇନ୍‌ ଇଣ୍ଡିଆ ପ୍ରଭାବରେ କମ୍ପାନିଙ୍କ ଆମଦାନି ବିଲ୍‌ କମିଛି

ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବାକୁ ଯୋଜନା ଚଳାଇଛି। ଏଥିପାଇଁ ସରକାର ମେକ୍‌ ଇନ୍‌ ଇଣ୍ଡିଆ ସ୍ଲୋଗାନ ଦେବା ସହିତ ପିଏଲ୍‌ଆଇ( ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା) କାର୍ଯ୍ୟକାରୀ କରିଛନ୍ତି। ଏହାଫଳରେ ଦେଶରେ ଅଟୋମୋବାଇଲ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ଓ ହୋମ୍‌ ଆପ୍ଲାଏନ୍ସ ଆଦି କ୍ଷେତ୍ରର ବଡ଼ ବଡ଼ କମ୍ପାନିଗୁଡ଼ିକ ଦେଶ ଭିତରେ ଉତ୍ପାଦନ ହେଉଥିବା ବିଭିନ୍ନ ଉପକରଣକୁ ବ୍ୟବହାର କରି ସେମାନଙ୍କ ଉତ୍ପାଦ ନିର୍ମାଣ କରୁଛନ୍ତି। ଫଳରେ ବଡ଼ କମ୍ପାନିଙ୍କ ଆମଦାନି ବିଲ୍‌ କମିଛି।

ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ ଏବଂ ଏଫ୍‌ଏମ୍‌ସିଜି କ୍ଷେତ୍ରର ୨୦ଟି ତାଲିକାଭୁକ୍ତ କମ୍ପାନି ଉପରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ସେମାନଙ୍କ ବିକ୍ରି ତୁଳନାରେ ବିଦେଶୀ ମୁଦ୍ରା ଖର୍ଚ୍ଚ ଭାଗ ହ୍ରାସ ପାଇଛି। ୨୦୧୯-୨୦ରୁ ୨୦୨୪-୨୫ ମଧ୍ୟରେ ଏଥିରେ ବଡ଼ଧରଣର ହ୍ରାସ ଘଟିଛି। ମୁଖ୍ୟତଃ ଆମଦାନି ହେଉଥିବା ସାମଗ୍ରୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା କାରଣରୁ ଏହା ହୋଇଛି। ସର୍ବାଧିକ ହ୍ରାସ ‌ଅଟୋମୋବାଇଲ୍‌ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାତାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରେ ମାରୁତି ସୁଜୁକି, ଟାଟା ମୋଟର୍ସ, ହିରୋ ମୋଟୋକର୍ପ, ବଜାଜ୍‌ ଇଲେକ୍ଟ୍ରିକାଲ୍ସ, ହ୍ବିର୍ଲପୁଲ୍‌, ହାଭେଲ୍‌ସ, ବ୍ଲୁ ଷ୍ଟାର, ଅମ୍ବର ଏଣ୍ଟରପ୍ରାଇଜେସ୍‌ ଏବଂ କ୍ରମ୍ପଟନ ଗ୍ରିଭସ୍‌ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଆଦି ରହିଛନ୍ତି।

ଭାରତରେ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାଣର ସର୍ବବୃହତ୍ ଠିକା ସଂସ୍ଥା ଡିକ୍ସନ ଟେକ୍ନୋଲୋଜିଜ୍‌ରେ ୨୦୨୪-୨୫ରେ ଆମଦାନି ବିଲ୍ ମୋଟ ବିକ୍ରିର ମାତ୍ର ୬ ପ୍ରତିଶତ ରହିଛି। ୨୦୧୯-୨୦ରେ ଏହା ୪୯ ପ୍ରତିଶତ ରହିଥିଲା। କମ୍ପାନି ଟିଭି ପାନେଲ, କ୍ୟାମେରା ମଡ୍ୟୁଲସ ଏବଂ କମ୍ପ୍ରେସର ଭଳି ସାମଗ୍ରୀ ଦେଶ ଭିତରୁ କ୍ରୟ କରୁଛି।

ଦେଶର ସର୍ବବୃହତ୍ କାର୍‌ ନିର୍ମାତା ମାରୁତି ସୁଜୁକିର ବିଦେଶୀ ମୁଦ୍ରା ଖର୍ଚ୍ଚ ମୋଟ ବିକ୍ରିର ୬ ପ୍ରତିଶତକୁ ୨୦୨୪-୨୫ରେ କମିଛି। ୨୦୧୯-୨୦ରେ ଏହା ୧୧.୫ ପ୍ରତିଶତରେ ରହିଥିଲା। ଉପରୋକ୍ତ ସମୟ ମଧ୍ୟରେ ଟାଟା ମୋଟର୍ସର ବିଦେଶୀ ମୁଦ୍ରା ଖର୍ଚ୍ଚ ୭ ପ୍ରତିଶତରୁ ୧ ପ୍ରତିଶତକୁ ଖସିଛି। ହିରୋ ମୋଟୋକର୍ପର ବିଦେଶୀ ମୁଦ୍ରା ଖର୍ଚ୍ଚ ପ୍ରାୟ ୧୦ ପ୍ରତିଶତ କମିଛି। ନେସ୍‌ଲେ, ମେରିକୋ ଏବଂ ବ୍ରିଟାନିଆ ଭଳି ଏଫ୍‌ଏମ୍‌ସିଜି କମ୍ପାନିଙ୍କର ବିଦେଶୀ ମୁଦ୍ରା ଖର୍ଚ୍ଚ ମଧ୍ୟ କମିଛି।