ରସୁଣ: ୧୫ ଦିନରେ ଦର ଆକାଶ ଛୁଆଁ
ଭୁବନେଶ୍ୱର: କିଛି ଦିନ ଧରି ବଜାରରେ ପରିବା ଦାମ ଉଚ୍ଚା ରହିବା ପରେ ଏବେ ରସୁଣ ଦାମ ଉଚ୍ଚାକୁ ନେଇ ଖାଉଟି ଚିନ୍ତାରେ । କେତେବେଳେ ପିଆଜ ତ ଆଉ କେତେବେଳେ ରସୁଣ ଖାଉଟିଙ୍କୁ କନ୍ଦାଉଛି । ଏବେ ରସୁଣ ଦର ଯାହା ହେଲାଣି ତାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ସାଧାରଣ ଜନତା । ଖାଉଟି ୧୦୦ ଗ୍ରାମ ରସୁଣ କିଣିବା ବେଳେ ବି ଅନେକ ଥର ଚିନ୍ତା କରୁଛନ୍ତି । ୧୫ଦିନ ଭିତରେ ରସୁଣ ଦାମ ଆକାଶ ଛୁଆଁ । ବଜାରରେ ରସୁଣ ପ୍ରାୟ ଉଭାନ ଭଳି ସ୍ଥିତି । ଯାହା କିଛି ରସୁଣ ମିଳୁଛି ସେଥିରେ ହାତ ମାରିହେଉନି । ଦାମ ଶୁଣି କିଣିବାକୁ ଡରୁଛନ୍ତି ଖାଉଟି । ଏବେ କିଲୋ ପିଛା ୪୦୦ରୁ ୫୦୦ ଟଙ୍କାରେ ବିକ୍ରି ହେଉଛି ରସୁଣ । ୧୦୦ ଗ୍ରାମ ରସୁଣ ଆଣିଲେ ୫୦ ଟଙ୍କା ପଡ଼ୁଛି । ଫଳରେ ଖାଉଟିଙ୍କୁ ପକେଟ୍କୁ ଏହା ବାଧୁଛି ।
କେବଳ ଦର ବଢ଼ିନି ପର୍ଯ୍ୟାପ୍ତ ପରିମାଣରେ ରସୁଣ ମଧ୍ୟ ଉପଲବ୍ଧ ହେଉନାହିଁ । ଖୁଚୁରା ବ୍ୟବସାୟୀମାନେ ଏତେ ଦାମ୍ ଥିବାରୁ କିଣିବାକୁ ଭୟ କରୁଛନ୍ତି । ଏପଟେ ବଜାରକୁ ନୂଆ ରସୁଣ ଆସିବାକୁ ଆହୁରି ୧୫ଦିନ ଲାଗିପାରେ । ସ୍ଥିତି ବିଗିଡ଼ି ରହିଥିବା ବେଳେ ଦାମ୍ ଆହୁରି ବୃଦ୍ଧି ପାଇବ ବୋଲି ବ୍ୟବସାୟୀମାନେ କହିଛନ୍ତି ।
ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଓଡ଼ିଶା ରସୁଣ ପାଇଁ କାନପୁର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ସହ ଅନ୍ୟ କିଛି ରାଜ୍ୟରୁ ଉପରେ ନିର୍ଭର କରୁଛି । ରାଜ୍ୟରେ ରସୁଣ ଉତ୍ପାଦନ ଅପେକ୍ଷାକୃତ କମ୍ । ବର୍ତ୍ତମାନ ଅମଳ ସମୟ । ଏବେ ରସୁଣର ଦାମ୍ କେଜି ପିଛା ୫୦ଟଙ୍କା ରହିବା କଥା । ମାତ୍ର ଦର ଏବେ ୫୦୦ଟଙ୍କାକୁ ବଢ଼ି ଯାଇଛି । ଗତବର୍ଷ ଏହି ସମୟରେ ୫୦ଟଙ୍କାରେ ରସୁଣ ମିଳୁଥିଲା । କର୍ପୋରେଟ୍ ହାଉସ୍ ଏଭଳି ଦାମ୍ ବୃଦ୍ଧି କରିବାର ମୁଖ୍ୟ କାରଣ । ଉତ୍ପାଦନ କମିଲେ ୪ରୁ ୫ପ୍ରତିଶତ ଦରବୃଦ୍ଧି ଘଟେ କିନ୍ତୁ ୪୦୦ରୁ ୫୦୦ ପ୍ରତିଶତ ଦର ବୃଦ୍ଧି ଘଟେ ନାହିଁ ।