ରାଜ୍ୟ ବାହାରୁ ଆସିବ ପୁଞ୍ଜି: ୭ରୁ ନିବେଶକ ସମ୍ମିଳନୀ
ଶିଳ୍ପାୟନକୁ ତ୍ବରାନ୍ବିତ କରିବା ସହ ରାଜ୍ୟରେ ରହିଥିବା ନିବେଶ ସମ୍ଭାବନା ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରିବା ଲାଗି ରାଜ୍ୟ ସରକାର ନିବେଶକ ସମ୍ମିଳନୀ ଆୟୋଜନ କରିବା ଉପରେ ବିଚାର କରୁଛନ୍ତି। ଚଳିତ ମାସ ୭, ୮ ଓ ୯ ତାରିଖରେ ଶିଳ୍ପ ବିଭାଗ ପକ୍ଷରୁ ମହାରାଷ୍ଟ୍ରର ପୁଣେ ଓ ଗୁଜରାଟର ଅହମ୍ମଦାବାଦରେ ରୋଡ୍ ସୋ’ ଆୟୋଜନ କରାଯିବ।ଏ ସମ୍ପର୍କରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପ୍ରଥମ ନିବେଶକ ସମ୍ମିଳନୀରେ ଅଟୋମୋବାଇଲ୍, ଖାଦ୍ୟ ପ୍ରକ୍ରିୟାକରଣ, ଧାତବ କ୍ଷେତ୍ରର ଆନୁଷଙ୍ଗିକ ଶିଳ୍ପ ପାଇଁ ପୁଞ୍ଜିନିବେଶ ଆଣିବା ଲାଗି ଉଦ୍ୟମ କରାଯିବ। ନିବେଶକମାନଙ୍କ ସହ ପ୍ରତ୍ୟକ୍ଷ ଓ ଗୋଲ୍ ଟେବୁଲ୍ ବୈଠକରେ ଆଲୋଚନା କରାଯିବ। କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ୨୦୨୯ ସୁଦ୍ଧା ଦେଶ ଭିତରୁ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ‘ଉତ୍କର୍ଷ ଉତ୍କଳ’ ସମ୍ମିଳନୀ ଆୟୋଜନ କରି ପୁଞ୍ଜି ଆଣିବା ଯୋଜନା ରହିଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ ରାଜ୍ୟରେ ନୂତନ ଭାବେ ଶାସନ ଭାର ଗ୍ରହଣ କରିଥିବା ବିଜେପି ସରକାର ପୁରୁଣା ସରକାରଙ୍କ ନିବେଶକ ସମ୍ମିଳନୀ ‘ମେକ୍ ଇନ୍ ଓଡ଼ିଶା’ର ନାମ ପରିବର୍ତ୍ତନ କରିଛନ୍ତି। ଏହା ବଦଳରେ ‘ଉତ୍କର୍ଷ ଉତ୍କଳ’ ସମ୍ମିଳନୀ ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଘୋଷଣା କରିଛନ୍ତି। ଉତ୍କର୍ଷ ଉତ୍କଳ ସମ୍ମିଳନୀ ମାଧ୍ୟମରେ ୨୦୨୯ ସୁଦ୍ଧା ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ଆକାରରେ ୨ ବିଲିଅନ୍ ଡଲାର ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।