ମେଟ୍ରୋକୁ ଟପିଲେ ଛୋଟ ସହର
ଭୁବନେଶ୍ବର ସମେତ କୋଏମ୍ବାଟୁର, ଭାଇଜାଗ, ଚଣ୍ଡିଗଡ଼, ଇନ୍ଦୋର ଓ ବିଜୟୱାଡ଼ା ଭଳି ଅଣ ମେଟ୍ରୋ ସହରଗୁଡ଼ିକରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହି ସହରଗୁଡ଼ିକରେ ହ୍ବାଇଟ୍-କଲାର (ଅଧିକାରୀ ସ୍ତରୀୟ) ନିଯୁକ୍ତି ଅଧିକ ସୃଷ୍ଟି ହୋଇଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ମୁଖ୍ୟତଃ ସୁଟ୍ ପରିଧାନ କରି କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ମାନବ ସମ୍ବଳ ପରିଭାଷାରେ ହ୍ବାଇଟ୍-କଲାର ଅଧିକାରୀ କୁହାଯାଉଛି।ଛୋଟ ସହରଗୁଡ଼ିକ ମଧ୍ୟରେ ନିଯୁକ୍ତି ସୃଷ୍ଟି କରିବାର ହଟ୍ସ୍ପଟ୍ ଭାବେ ତାମିଲନାଡୁ, ଓଡ଼ିଶା, ଗୁଜରାଟ ଓ ମହାରାଷ୍ଟ୍ର ଉଭା ହୋଇଛନ୍ତି। ଏହି ରାଜ୍ୟଗୁଡ଼ିକର ଛୋଟ ସହରରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ରିପୋର୍ଟ ଅନୁସାରେ ମେଟ୍ରୋ ଭଳି ବଡ଼ ସହରଗୁଡ଼ିକରେ ନିଯୁକ୍ତି ହ୍ରାସ ପାଇଥିବା ବେଳେ ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ବଢ଼ିଛି। ହ୍ବାଇଟ୍-କଲାର ନିଯୁକ୍ତି ବର୍ଗରେ ମାନୁଫାକ୍ଚରିଂ ଓ ଆର୍ଥିକ ସେବା କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଦେଶର ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ସହରଗୁଡ଼ିକରେ ବର୍ଷକ ଭିତରେ ୧୭ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇଥିବା ବେଳେ ବଡ଼ ସହରଗୁଡ଼ିକରେ ତା’ଠାରୁ କମ୍ ୧୫ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ଅଧିକାଂଶ ନିଯୁକ୍ତି ଅଭିଜ୍ଞତାଭିତ୍ତିକ ଥିଲା। ୬-୧୦ ବର୍ଷ ଅଭିଜ୍ଞତା ଥିବା ପ୍ରାର୍ଥୀମାନଙ୍କୁ ବାର୍ଷିକ ୭-୧୦ ଲକ୍ଷ ଟଙ୍କାର ବେତନ ପ୍ୟାକେଜ୍ ମିଳିଥିଲା। ବର୍ଷକ ପୂର୍ବେ ବଡ଼ ସହରଗୁଡ଼ିକରେ ୧୬ ଲକ୍ଷ ୫୦ ହଜାର ନିଯୁକ୍ତି ସୃଷ୍ଟି ହୋଇଥିଲା।