ଭାରତ ଧନୀ ତାଲିକାର ଶୀର୍ଷରେ ମୁକେଶ

ଆମେରିକାର ବ୍ୟବସାୟଭିତ୍ତିୟ ପତ୍ରିକା ‘ଫୋର୍ବସ’ ପକ୍ଷରୁ ‘ଫୋର୍ବସ ବିଶ୍ବସ୍ତରୀୟ ଧନୀ ତାଲିକା-୨୦୨୪’ ପ୍ରକାଶ ପାଇଛି। ଏହି ତାଲିକା ଅନୁଯାୟୀ ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ ବିଶ୍ବସ୍ତରରେ ନବମ ସ୍ଥାନରେ ଥିବା ବେଳେ ଭାରତ ଓ ଏସିଆ ମହାଦେଶରେ ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ଗୌତମ ଆଦାନି ଭାରତର ଧନୀ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଗତ ବର୍ଷ ଅରବପତି ତାଲିକାରେ ୧୬୯ ଭାରତୀୟଙ୍କ ନାମ ଥିବା ବେଳେ ଚଳିତ ବର୍ଷ ୨୦୦ ଭାରତୀୟଙ୍କ ନାମ ରହିଛି। ଏଥିସହ ଭାରତୀୟ ଧନୀଙ୍କ ମୋଟ ସମ୍ପତ୍ତି ୪୧% ବଢ଼ି ୯୫ ହଜାର ୪ଶହ କୋଟି ଡଲାରରେ ପହଞ୍ଚିଛି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ମୂଲ୍ୟ ଗତବର୍ଷ ୮ହଜାର ୩୦୦ କୋଟି ଡଲାର ଥିବା ବେଳେ ଚଳିତ ବର୍ଷ ଏହା ୩୯.୭୬% ବଢ଼ି ୧୧ ହଜାର ୬ଶହ କୋଟି ଡଲାରରେ ପହଞ୍ଚିଛି। ଏଥିସହ ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀ ଦ୍ବିତୀୟ ଭାରତୀୟ ଧନୀ ତାଲିକାରେ ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୮ହଜାର ୪ଶହ କୋଟି ଡଲାର ରହିଛି। ଏଥିସହ ଭାରତୀୟ ମହିଳା ଧନୀ ତାଲିକାରେ ସାବିତ୍ରୀ ଜିନ୍ଦଲ ଶୀର୍ଷରେ ରହିବା ସହ ଭାରତୀୟ ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ବିଶ୍ବ ଧନୀ ତାଲିକାରେ ଫରାସୀ ବ୍ୟବସାୟୀ ବର୍ଣ୍ଣାଡ୍‌ ଅର୍ନଲ୍ଟ ଏବଂ ପରିବାର ୨୩ ହଜାର ୩ଶହ କୋଟି ଡଲାର ସହ ଶୀର୍ଷରେ ଥିବା ବେଳେ ଟେସ୍‌ଲା ସହ ପ୍ରତିଷ୍ଠାତା ଏନଲ ମସ୍କ ୧୯ ହଜାର ୫ଶହ କୋଟି ଡଲାର ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି। ସେହିପରି ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ୧୯ ହଜାର ୪ଶହ କୋଟି ଡଲାର ସହ ତୃତୀୟ ସ୍ଥାନରେ ଥିବା ବେଳେ ସର୍ବାଧିକ ଲୋକପ୍ରୀୟ ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ ପ୍ରତିଷ୍ଠାତା ମାର୍ଗ ଜୁକରବର୍ଗ ୧୭ହଜାର ୭ଶହ କୋଟି ଡଲାର ସହ ଚତୁର୍ଥ ସ୍ଥାନରେ, ଓରାକଲ ପ୍ରତିଷ୍ଠାତା ଲାରୀ ଏଲିସନ୍‌ ୧୧ ହଜାର ୪ଶହ କୋଟି ଡଲାର ସହ ପଞ୍ଚମ ସ୍ଥାନରେ, ଆମେରିକୀୟ ବ୍ୟବସାୟୀ ୱାରେନ୍‌ ବଫେଟ୍‌ ୧୩ ହଜାର ୩ଶହ କୋଟି ଡଲାର ସମ୍ପତ୍ତି ସହ ଷଷ୍ଠ ସ୍ଥାନରେ ରହିଛନ୍ତି। ସେହିପରି ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ୧୨ ହଜାର ୮ଶହ କୋଟି ଡଲାର ସମ୍ପତ୍ତି ସହ ସପ୍ତମ ସ୍ଥାନରେ ଥିବା ବେଳେ ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ଷ୍ଟିଭ୍‌ ବଲମେର ୧୨ ହଜାର ଶହେ କୋଟି ଡଲାର ସମ୍ପତ୍ତି ସହ ଅଷ୍ଟମ ସ୍ଥାନରେ ରହିଛନ୍ତି। ସେହିପରି ଭାରତୀୟ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୧୧ ହଜାର ୬ଶହ କୋଟି ଡଲାର ସମ୍ପତ୍ତି ସହ ନବମ ସ୍ଥାନରେ ଥିବା ବେଳେ ଗୁଗୁଲର ମୁଖ୍ୟ କମ୍ପାନୀ ଆଲ୍‌ଫାବେଟ୍‌ର ସହ ପ୍ରତିଷ୍ଠାତା ଲାରୀ ପେଜ୍‌ ୧୧ ହଜାର ୪ଶହ କୋଟି ଡଲାର ସମ୍ପତ୍ତି ସହ ତାଲିକାର ୧୦ତମ ସ୍ଥାନରେ ଅଛନ୍ତି।