ବିବାଦରେ ଏଆଇ ଟୁଲ୍‌ ‘ଜେମିନି’

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଜେମିନିକୁ ନେଇ ଗୁଗୁଲ୍‌ ସମାଲୋଚନାର ଶିକାର ହୋଇଛି। ଏଆଇର ନେତୃତ୍ବ ନେବାରେ କମ୍ପାନିର ସିଇଓ ସୁନ୍ଦର ପିଚାଇ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସେଥିପାଇଁ କମ୍ପାନି କର୍ତ୍ତୃପକ୍ଷ ତାଙ୍କୁ ବିଦା କରିପାରେ ବୋଲି ହେଲିଅସ୍ କ୍ୟାପିଟାଲ୍‌ର ପ୍ରତିଷ୍ଠାତା ସମୀର ଅରୋରା ଭାବୁଛନ୍ତି।ଗୁଗୁଲ୍‌ ଏହାର ଏଆଇ ଟୁଲ୍‌ର ନାମ ବାର୍ଡ ରଖିଥିଲା। କିଛିଦିନ ପରେ ତାହାର ନାମକୁ ପରିବର୍ତ୍ତନ କରି ଜେମିନି ରଖିଛି। ଜେମିନି ଉନ୍ମୋଚନ ହେବା ପରଠାରୁ ବିଭିନ୍ନ କାରଣ ଲାଗି ବିବାଦରେ ରହିଛି। ବିଶେଷ କରି ଏହାର ଏଆଇ ଇମେଜ୍ ଜେନେରେଟରକୁ ସମାଲୋଚନା କରାଯାଉଛି। ବିବାଦ ବଢ଼ିବା ପରେ ଏହି ସେବାକୁ ସାମୟିକ ସମୟ ପାଇଁ ଗୁଗୁଲ୍ ବନ୍ଦ କରିଦେଇଛି। ଭୁଲ ଓ ଅପମାନସୂଚକ ଛବି ସୃଷ୍ଟି କରିଥିବାରୁ ଏହି ସେବା ଆଶାନୁରୂପ ଫଳ ପ୍ରଦାନ କରିନାହିଁ ବୋଲି ଗୁଗୁଲ୍ ସ୍ବୀକାର କରିଛି। ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଜେମିନି ଭୁଲ ତଥ୍ୟ ଦେଇଥିବାରୁ ସରକାର କମ୍ପାନିକୁ ନୋଟିସ୍‌ ଜାରି କରିବା ଉପରେ ବିଚାର କରୁଛି। ଫାସିବାଦ ଉପରେ ଜେମିନି ମୋଦୀଙ୍କ ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡମିର୍‌ ଜେଲେଙ୍କ୍‌ସିଙ୍କ ଉତ୍ତର ଦେବାକୁ ମନା କରିଦେଇଥିଲା।