ନବରାତ୍ରିରେ ଗାଡ଼ି ବିକ୍ରି ବୃଦ୍ଧି

Counting 500 Rupee currency notes against stock market graph background

ରାଜ୍ୟରେ ସେପ୍ଟେମ୍ବର ମାସରେ ଯେତିକି ଗାଡ଼ି ବିକ୍ରି ହୋଇଛି ତାହାର ସିଂହଭାଗ କେବଳ ନବରାତ୍ରିରେ ବିକ୍ରି ହୋଇଛି। ମାସ ସାରାରେ ୭୦ ହଜାର ପାଖାପଖି ଗାଡ଼ି ବିକ୍ରି ହୋଇଥିବା ବେଳେ କେବଳ ନବରାତ୍ରି ସମୟରେ ୫୫,୫୮୬ଟି ଗାଡ଼ି ବିକ୍ରି ହୋଇଛି। ଏହା ୨୦୨୪ର ନବରାତ୍ରିରେ ହୋଇଥିବା ୪୦,୨୮୦ଟି ଗାଡ଼ି ତୁଳନାରେ ୩୮ ପ୍ରତିଶତ ଅଧିକ। ଜିଏସ୍‌ଟିରେ କରାଯାଇଥିବା ହ୍ରାସକୁ ଗତ ସେପ୍ଟେମ୍ବର ୨୨ ନବରାତ୍ରୀର ପ୍ରଥମ ଦିନରୁ ଲାଗୁ କରାଯାଇଥିଲା। ତେଣୁ ସେହି ନଅ ଦିନ ମଧ୍ୟରେ ରାଜ୍ୟରେ ବିପୁଳ ସଂଖ୍ୟାରେ ଗାଡ଼ି ବିକ୍ରି ହୋଇଥିଲା ବୋଲି ଏଫ୍‌ଏଡିଏର ତଥ୍ୟ ସ୍ପଷ୍ଟ କରୁଛି। ଗତବର୍ଷ ନବରାତ୍ରି ତୁଳନାରେ ଚଳିତ ବର୍ଷ ଦୁଇଚକିଆ ଯାନ ବିକ୍ରିରେ ୪୪.୧୭ ପ୍ରତିଶତ ଓ କାର୍ ବିକ୍ରିରେ ୨୪.୨୮ ପ୍ରତିଶତ ବୃଦ୍ଧି ହୋଇଥିଲା। କିନ୍ତୁ ଟ୍ରାକ୍ଟର ବିକି ୨୬.୮୦ ପ୍ରତିଶତ ଓ ବାଣିଜ୍ୟିକ ଯାନ ବିକ୍ରି ୧୪.୨୩ ପ୍ରତିଶତ ହ୍ରାସ ପାଇଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ବ୍ୟକ୍ତିଗତ ଗମନାଗମନ ଉଦ୍ଦେଶ୍ୟ ରଖି ଅଧିକାଂଶ ଗ୍ରାହକ ଗାଡ଼ି କିଣିଛନ୍ତି। ବାଣିଜ୍ୟିକ କାରବାର ଓ କୃଷି କ୍ଷେତ୍ର ଲାଗି ଯାନ କ୍ରୟ ହ୍ରାସ ପାଇଛି।

ଜିଏସ୍‌ଟି ସଂସ୍କାର ପ୍ରଭାବରେ ଗତ ମାସରେ ରାଜ୍ୟରେ ବିପୁଳ ସଂଖ୍ୟାରେ ଗାଡ଼ି ବିକ୍ରି ହୋଇଛି। ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ୬୯,୯୫୨ଟି ଗାଡ଼ି ବିକ୍ରି ହୋଇଛି। ଏହା ୨୦୨୪ ସେପ୍ଟେମ୍ବରରେ ହୋଇଥିବା ୪୭,୧୪୨ଟି ଗାଡ଼ି ତୁଳନାରେ ୪୮.୩୯ ପ୍ରତିଶତ ଅଧିକ। ପ୍ରାୟ ସବୁ ପ୍ରକାର ଗାଡ଼ିର ବିକ୍ରି ବଢ଼ିଥିଲେ ମଧ୍ୟ ଦୁଇଚକିଆ ଯାନ ଓ କାର୍‌ ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ‌ହୋଇଥିବା ଭାରତୀୟ ଅଟୋମୋବାଇଲ୍‌ ଡିଲରଙ୍କ ମହାସଂଘ (ଏଫ୍‌ଏଡିଏ) ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।

 

Leave a comment