ଚିନ୍ତା ବଢ଼ାଇଲା ଚୀନର ଶସ୍ତା ଇସ୍ପାତ ରପ୍ତାନି

ଚୀନରୁ ଶସ୍ତାରେ ଆସୁଥିବା ଇସ୍ପାତଗୁଡ଼ିକ ଏବେ ଭାରତର ଚିନ୍ତା ବଢ଼ାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତ ନିଟ୍‌ ଇସ୍ପାତ ଆମଦାନୀକାରୀ ରା‌ଷ୍ଟ୍ରରେ ପରିଣତ ହୋଇଛି। ଚଳିତ ଆର୍ଥିକବର୍ଷ ଆରମ୍ଭରୁ ମଧ୍ୟ ଏହି ସମସ୍ୟା ଆହୁରି ଜଟିଳ ରୂପ ଧାରଣ କରିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ ଏବଂ ମେ’ ମାସରେ ଭାରତର ଇସ୍ପାତ ଆମଦାନୀ ୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ବୋଲି ପ୍ରାଥମିକ ସରକାରୀ ତଥ୍ୟରୁ ଜଣାଯାଇଛି।ଏପ୍ରିଲ ଏବଂ ମେରେ ଭାରତ ୧.୧ ନିୟୁତ ମେଟ୍ରିକ ଟନ୍‌ର ଇସ୍ପାତ (ଫିନିସ୍‌ଡ ଷ୍ଟିଲ୍‌) ଆମଦାନୀ କରିଛି। ପୂର୍ବ ବର୍ଷର ସମାନ ଅବଧି ତୁଳନାରେ ଏହା ୧୯.୮ % ଅଧିକ। ଏହି ସମସ୍ୟା ସଂପର୍କରେ ଇସ୍ପାତ ମନ୍ତ୍ରାଳୟ ବାଣିଜ୍ୟ ମନ୍ତ୍ରାଳୟକୁ ଅବଗତ କରାଇଥିବାବେଳେ ଇସ୍ପାତ ନିର୍ମାତାମାନେ ଏହାର ତଦନ୍ତ ଦାବି କରିଛନ୍ତି। ବାଣିଜ୍ୟ ଏବଂ ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଚୀନର ଇସ୍ପାତ ରପ୍ତାନି ସଂପର୍କରେ ଆଲୋଚନା ହୋଇଛି ବୋଳି ଏକ ସୂତ୍ରରୁ ଜଣାଯାଇଛି। ଚୀନରୁ ଆସୁଥିବା ଶସ୍ତା ଇସ୍ପାତ ଉପରେ ଭାରତ ନଜର ରଖିଥିଲେ ମଧ୍ୟ ଚୀନ ସର୍ବବୃହତ୍ ରପ୍ତାନିକାରୀର ମାନ୍ୟତା ବଜାୟ ରଖିଛି। ଏଭଳି ସ୍ଥିତିରେ ଟାଟା ଷ୍ଟିଲ ଭଳି ଭାରତୀୟ ଇସ୍ପାତ କମ୍ପାନିଗୁଡ଼ିକ ଚିନ୍ତାବ୍ୟକ୍ତ କରିଛନ୍ତି। ସରକାରୀ ହସ୍ତକ୍ଷେପ ସହିତ ଅଧିକ ଆମଦାନୀ ଶୁଳ୍କ ଲାଗୁ କରିବା ପାଇଁ ସେମାନେ ମତ ଦେଇଛନ୍ତି। କିନ୍ତୁ ଘରୋଇ ବଜାରରେ ଚାହିଦା ଅଧିକ ରହିଥିବା ଯୁକ୍ତି ଦର୍ଶାଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ବର୍ତ୍ତମାନ ସୁଦ୍ଧା ନେଇନାହାନ୍ତି।