ଖୁଚୁରା ମୁଦ୍ରାସ୍ଫୀତି ଓଡ଼ିଶା ଦେଶରେ ସର୍ବାଧିକ

ଚଳିତ ବର୍ଷ ଏପ୍ରିଲ୍‌ରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୪.୮୩ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ଓଡ଼ିଶାର ମୁଦ୍ରାସ୍ଫୀତି ୭.୧୧ ପ୍ରତିଶତକୁ ଖସିଛି। ଦେଶର ସବୁ ରାଜ୍ୟ ତୁଳନାରେ ଓଡ଼ିଶାର ମୁଦ୍ରାସ୍ଫୀତି ସର୍ବାଧିକ ରହିଛି। ବିଶେଷଜ୍ଞମାନଙ୍କ ମତରେ ବହୁ ସାମଗ୍ରୀ ଲାଗି ଓଡ଼ିଶା ଅନ୍ୟ ଉପରେ ନିର୍ଭରଶୀଳ ରହୁଥିବାରୁ କିଣି ଖାଉଥିବା ଲୋକମାନଙ୍କୁ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ସେଥିପାଇଁ ଏଠାରେ ଦରଦାମ୍ ଅଧିକ ରହୁଛି। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଏପ୍ରିଲ୍‌ରେ ଓଡ଼ିଶାର ଗ୍ରାମୀଣ ମୁଦ୍ରାସ୍ଫୀତି ହାର ୭.୩୮ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ସେହି ହାର ୬.୨୯ ପ୍ରତିଶତ ରହିଛି। ଅର୍ଥାତ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳବାସୀଙ୍କୁ ବିଭିନ୍ନ ସାମଗ୍ରୀ ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ୁଛି।