ଇଣ୍ଡିଗୋ ସଙ୍କଟ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା

ଇଣ୍ଡିଗୋ ସଙ୍କଟ ଓ ଏତେ ମାତ୍ରାରେ ବିମାନ ଉଡ଼ାଣ ରଦ୍ଦର ବିଚାରବିଭାଗୀୟ ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଛି। ହାଇକୋର୍ଟ ବୁଧବାର ଏହାର ଶୁଣାଣିକରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ତୁମେ କ’ଣ ଅସହାୟ? ଏଭଳି ସ୍ଥିତି କାହିଁକି ଉପୁଜିଲା?
ପାଇଲଟ୍‌ ଓ କର୍ମଚାରୀ ସଙ୍କଟକୁ ନେଇ ଗତ ୨ ତାରିଖରୁ ବିଭିନ୍ନ ଘରୋଇ ରୁଟ୍‌ରେ ଇଣ୍ଡିଗୋର ବିମାନ ଉଡ଼ାଣ ବାତିଲ ଏବଂ ବିଳମ୍ୱିତ ହୋଇଆସୁଛି। ଫଳରେ ଦେଶବ୍ୟାପୀ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହା ଉପରେ ଦାଖଲ ପିଆଇଏଲ୍‌ର ଶୁଣାଣି କରି ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ଜଷ୍ଟିସ୍‌ ତୁଷାର ରାଓ ଗେଡେଲାଙ୍କ ଖଣ୍ଡପୀଠ କହିଛନ୍ତି, ସମ୍ପ୍ରତି ଉପୁଜିଥିବା ସ୍ଥିତିରୁ ଅନ୍ୟ ଏୟାରଲାଇନ୍ସ ଫାଇଦା ନେଇପାରନ୍ତି। ଯାତ୍ରୀମାନଙ୍କଠାରୁ ଟିକେଟ ବାବଦକୁ ମୋଟା ଅଙ୍କର ଅର୍ଥ ଅସୁଲ କରାଯାଉଛି। ଯେଉଁ ଟିକେଟ ୫,୦୦୦ ଟଙ୍କାରେ ମିଳୁଥିଲା ତାହା ବର୍ତ୍ତମାନ ୩୦ରୁ ୩୫ ହଜାରରେ ଉପଲବ୍ଧ। ଯଦି ଏପରି ସଙ୍କଟ ରହିଛି ତେବେ ଅନ୍ୟ ଏୟାରଲାଇନ୍‌ଗୁଡ଼ିକୁ ଲାଭ ଉଠାଇବା ପାଇଁ କିପରି ଅନୁମତି ଦିଆଯାଇ ପାରିବ? ଅନ୍ୟ ଏୟାରଲାଇନ୍ସ ୩୫,୦୦୦ରୁ ୩୯,୦୦୦ ଟଙ୍କା ପର୍ଯ୍ୟନ୍ତ କିପରି ନେଉଛନ୍ତି? ଏୟାରଲାଇନ୍‌ ନିୟମଗୁଡ଼ିକର ଅନୁପାଳନରେ ବିଫଳ ହେଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କ’ଣ ନିୟମ ରହିଛି? କେନ୍ଦ୍ର ସରକାର କ’ଣ ଅସହାୟ ବୋଲି ମୁଖ୍ୟ ବିଚାରପତି ପ୍ରଶ୍ନ କରିଛନ୍ତି। ଜାନୁଆରୀ ୨୨ରେ ଏହା ଉପରେ ପରବର୍ତ୍ତୀ ଶୁଣାଣି କରାଯିବ। କମିଟି ପକ୍ଷରୁ ଆରମ୍ଭ ହୋଇଥିବା ତଦନ୍ତ ଶେଷ ହେବା ମାତ୍ରେ ଜଉମୁଦ ଲଫାପାରେ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।