ରାଜ୍ୟ ସରକାର  କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସଂପୂର୍ଣ୍ଣ ଦେୟମୁକ୍ତ କରାଯିବ ଘୋଷଣା କରିଛନ୍ତି

ରାଜ୍ୟ ସରକାର  କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସଂପୂର୍ଣ୍ଣ ଦେୟମୁକ୍ତ କରାଯିବ ଘୋଷଣା କରିଛନ୍ତି। ଏହା ଦ୍ୱାରା ଆର୍ଥିକ ସ୍ତରରେ ପଛୁଆବର୍ଗ ଓ ଛାତ୍ରୀମାନେ ଉପକୃତ ହେବେ। ବୋଧହୁଏ ଶିକ୍ଷା କ୍ଷେତ୍ରରେ ଏପରି ଏକ ପଦକ୍ଷେପ ସାରା ଦେଶରେ ଓଡ଼ିଶାରେ ପ୍ରଥମଥର ପାଇଁ କାର୍ଯ୍ୟକାରୀ ହେବ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦୀଜୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ ଦେଉଛନ୍ତି। ଦୁଇ ବର୍ଷରେ ଆମେ ୧୨୧ଟି ନୂଆ ଯୋଜନା, କାର୍ଯ୍ୟକ୍ରମ କିମ୍ବା ପଦକ୍ଷେପ ଘୋଷଣା କରିଛୁ।

ଏହି ଅବସରରେ ଶ୍ରୀ ମାଝୀ ପୂର୍ବ ବିଜେଡି ସରକାରକୁ କଟାକ୍ଷ କରିବା ସହ କଡ଼ା ଭର୍ତ୍ସନା କରିଥିଲେ। ସେ କହିଥିଲେ, ତଥାକଥିତ ୨୪ ବର୍ଷର ସୁଶାସନ ସମୟରେ ଓଡ଼ିଶାର ବିକାଶ କାର୍ଯ୍ୟକୁ କେବଳ ପ୍ରଚାର-ସର୍ବସ୍ୱ କରିଦେଇଥିଲେ। ସବୁ ପ୍ରକଳ୍ପ ଜଣେ ବ୍ୟକ୍ତିର ମର୍ଜିରେ ଚାଲିଥିଲା। ଏହି ସବୁ ଐତିହାସିକ ଭୁଲକୁ ଆମ ସରକାର ସୁଧାରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ହେଉଛି। ଏହି କାମ ୨୪ ବର୍ଷର ସରକାର କାହିଁକି କରି ପାରି ନ ଥିଲେ? କାରଣ ପୂର୍ବ ସରକାର ଚଳାଉଥିବା ବ୍ୟକ୍ତି ଓ ନେତାଙ୍କର ଓଡ଼ିଆ ଭାଷା ପ୍ରତି ଆଗ୍ରହ ନ ଥିଲା। ସେହିପରି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପୂର୍ବ ସରକାର ମନ ବଳାଇଲେ ନାହିଁ। ୨୨ ବର୍ଷ ପରେ ଯେତେବେଳେ ମନେ ପଡ଼ିଲା, ସେବେ କେବଳ ସ୍କୁଲରେ ରଙ୍ଗମାରି ଚାଲିଲେ। 

Leave a comment