ବଦଳି ନୀତିରେ ବଡ଼ ସଂଶୋଧନ

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁସଙ୍ଗତ ଓ ଶୃଙ୍ଖଳିତ କରିବା ପାଇଁ ମୋହନ ମାଝୀଙ୍କ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ପ୍ରଚଳିତ ବଦଳି ନୀତିରେ ବଡ଼ ସଂଶୋଧନ କରି ଏଥିରେ ଥିବା ଗଳାବାଟକୁ ବନ୍ଦ କରିବା ସହ ରାଜନୀତିକ ଚାପ ହ୍ରାସ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଜାରି ସାମଗ୍ରିକ ବଦଳି ନୀତିକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ବିଭାଗର ସଚିବ, ବିଭାଗୀୟ ମୁଖ୍ୟ, ଆରଡିସି ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ରାଜ୍ୟରେ କର୍ମଚାରୀଙ୍କ ବଦଳି ପାଇଁ ଉଦ୍ଦିଷ୍ଟ ୧୯୬୭ ମସିହାର ବୁକ୍ ସର୍କୁଲାର ନଂ-୪୨ ଓ ବିଭିନ୍ନ ସମୟରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ପ୍ରଶାସନିକସ୍ତରରେ ସଠିକ୍ ଭାବେ ଅନୁପାଳନ କରାଯାଉନଥିବା ସରକାରଙ୍କ ଦୃଷ୍ଟିକୁ ଆସିଥିଲା। ଯାହାକୁ ଦୃଷ୍ଟିରେ ରଖି ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ୩ପୃଷ୍ଠା ବିଶିଷ୍ଟ ସଂଶୋଧିତ ବଦଳି ନୀତି ଲାଗୁ ହୋଇଛି। ଅନେକ ବିଭାଗ ନିଜ ମନଇଚ୍ଛା ବର୍ଷର ଯେକୌଣସି ସମୟରେ ବଦଳି କରିଦେଉଥିଲେ, ଯାହାକୁ ନେଇ ସରକାର ଚିଠିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଣିକି ସାଧାରଣ ବଦଳି କେବଳ ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍ ୧୫ ତାରିଖ ମଧ୍ୟରେ କରାଯିବ। ଯଦି ଏହି ସମୟ ବାହାରେ କୌଣସି ବଦଳି ଜରୁରୀ ହୁଏ, ତେବେ ବଦଳି କରୁଥିବା ଅଧିକାରୀଙ୍କୁ ତାଙ୍କର ନେକ୍ସଟ୍ ହାୟର ଅଥରିଟିଙ୍କଠାରୁ ଆଗୁଆ ଲିଖିତ ମଞ୍ଜୁରୀ ନେବା ବାଧ୍ୟତାମୂଳକ ହେବ।

ଏହି ସଂଶୋଧିତ ବଦଳି ନୀତିରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରି କର୍ମଚାରୀମାନଙ୍କୁ ସେମାନଙ୍କ ବଦଳି ଆଦେଶ ପ୍ରକାଶ ପାଇବା ପରେ ତୁରନ୍ତ ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରକାରର ବିଳମ୍ବ, ଟାଳଟୁଳ ନୀତି ଓ ରାଜନୀତିକ ଚାପ ପ୍ରୟୋଗ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ସରକାର ପଦକ୍ଷେପ ନେଇଛନ୍ତି। ସେଥିପାଇଁ ଏଣିକି ପ୍ରତ୍ୟେକ ବଦଳି ଅର୍ଡରରେ ହିଁ ସମ୍ପୃକ୍ତ କର୍ମଚାରୀଙ୍କ ରିଲିଭିଂ ଓ ନୂଆ ସ୍ଥାନରେ ଜଏନିଂ ସମୟସୀମା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବ। ଅର୍ଡରରେ କେଉଁ କର୍ମଚାରୀ ବା ଅଧିକାରୀ କାହାକୁ ଦାୟିତ୍ୱ ହସ୍ତାନ୍ତର କରିବେ ତାହା ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବ। ଯଦି କୌଣସି ବିଶେଷ କାରଣରୁ ତାହା ଉଲ୍ଲେଖ ନଥିବ, ତା’ହେଲେ ସମ୍ପୃକ୍ତ କର୍ମଚାରୀ ନିଜର ଉପରିସ୍ଥ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଅନ୍ୟ ଜଣେ ସମପଦବୀର ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନୂଆ ସ୍ଥାନକୁ ଯିବାକୁ ବାଧ୍ୟ ହେବେ। ଯାହାଫଳରେ ବଦଳିକୁ ଏଡ଼ାଇବାର ସମସ୍ତ ଗଳାବାଟ ବନ୍ଦ ହୋଇଯିବ ବୋଲି ଏହି ସଂଶୋଧିତ ଗାଇଡଲାଇନରେ ଦର୍ଶାଯାଇଛି। ବୁକ୍ ସର୍କୁଲାର-୧୯୬୭ରେ ଉଲ୍ଲେଖ ଅଛି ଯେ, ଅଫିସରମାନେ ବଦଳି ଅଟକାଇବା ପାଇଁ ରାଜନୈତିକ ନେତାଙ୍କ ଦ୍ୱାରା ସରକାରଙ୍କ ଉପରେ ଚାପ ପକାଉଥିଲେ ଓ ରିଲିଭ୍ ହେବାରେ ବିଳମ୍ବ କରୁଥିଲେ। ମାତ୍ର ଏହି ସଂଶୋଧିତ ଗାଇଡ଼ଲାଇନରେ ବଦଳି ଅର୍ଡରରେ ହିଁ ରିଲିଭିଂ ଓ ଜଏନିଂ ସମୟସୀମା ଉଲ୍ଲେଖ ରହିବ ଯାହାକୁ କେହି ଏଡ଼ାଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ସବୁ ବର୍ଗର ଚାକିରି କ୍ଷେତ୍ରରେ ସମାନ ଭାବେ ଲାଗୁ କରାଯାଇଛି। ସାଧାରଣ ନିୟମ ଅନୁଯାୟୀ ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ୩ବର୍ଷର କାର୍ଯ୍ୟକାଳ ପୂରଣ କରିବା ପରେ ହିଁ ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ, ତେବେ ଜନସ୍ୱାର୍ଥ ଦୃଷ୍ଟିରୁ ସରକାର ଚାହିଁଲେ ଏହା ପୂର୍ବରୁ ମଧ୍ୟ ବଦଳି କରିପାରିବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।
ପୂର୍ବ ବଦଳି ନିୟମଗୁଡ଼ିକରେ କ୍ଲାସ୍‌-୨ ଓ ତଦୁର୍ଦ୍ଧ୍ୱ ପାହ୍ୟାର ଅଫିସରଙ୍କ ପାଇଁ ଅଧିକ ସ୍ପଷ୍ଟ ଥିଲା। କିନ୍ତୁ ଏହି ନୂଆ ନିର୍ଦ୍ଦେଶନାମାରେ ଗ୍ରୁପ୍ ‘ସି’ କର୍ମଚାରୀଙ୍କ ପାଇଁ ମଧ୍ୟ ଗୋଟିଏ ବ୍ଲକ କିମ୍ବା ତହସିଲରେ ୬ ବର୍ଷରୁ ଅଧିକ ରହିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସେହିପରି ରାଜ୍ୟ କ୍ୟାଡରର ଗ୍ରୁପ୍ ‘ଏ’ ଓ ଗ୍ରୁପ୍ ‘ବି’ ଅଧିକାରୀମାନେ ଗୋଟିଏ ରାଜସ୍ୱ ଜିଲ୍ଲାରେ ସର୍ବାଧିକ ୬ ବର୍ଷ ପର୍ଯ୍ୟନ୍ତ ହିଁ ରହିପାରିବେ।

କେବଳ ଜିଲ୍ଲା ଓ ରାଜ୍ୟସ୍ତରର ଅଫିସର ଅବା କର୍ମଚାରୀ ନୁହଁନ୍ତି ସଂଶୋଧିତ ବଦଳି ନିୟମ ମଧ୍ୟ ସଚିବାଳୟ ଓ ବିଭିନ୍ନ ନିର୍ଦ୍ଦେଶାଳୟରେ ଥିବା ଅଣବଦଳିଯୋଗ୍ୟ ମିନିଷ୍ଟ୍ରିଆଲ କ୍ୟାଡ଼ର ପାଇଁ ବି ଲାଗୁ ହେବ। ଏସବୁଠାରେ କାର୍ଯ୍ୟରତ ଥିବା କର୍ମଚାରୀ ଗୋଟିଏ ନିର୍ଦ୍ଦିଷ୍ଟ ସିଟ ବା ଦାୟିତ୍ୱରେ ୩ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ଓ କେବଳ ସ୍ୱତନ୍ତ୍ର ପରିସ୍ଥିତିରେ ହିଁ ଏହି ସମୟସୀମା ବଢ଼ାଯାଇପାରିବ।

ଏହାସହିତ ଗ୍ରୁପ ‘ଏ’ ଓ ଗ୍ରୁପ ‘ବି’ ବର୍ଗର ସମ୍ବେଦନଶୀଳ ପଦବୀଗୁଡ଼ିକରେ କୌଣସି ଅଧିକାରୀଙ୍କୁ ସେମାନଙ୍କ ଗୃହ ଜିଲ୍ଲାରେ ନିଯୁକ୍ତି ଦିଆଯିବ ନାହିଁ। କେଉଁ ପଦବୀଗୁଡ଼ିକୁ ସମ୍ବେଦନଶୀଳ ବୋଲି ବିବେଚନା କରାଯିବ, ତାହା ସମ୍ପୃକ୍ତ ପ୍ରଶାସନିକ ବିଭାଗ ସ୍ଥିର କରିବେ। ତେବେ ସମ୍ବେଦନଶୀଳ ପଦବୀରେ ନଥିବା କର୍ମଚାରୀମାନେ ସେମାନଙ୍କ ଅବସରର ଦୁଇ ବର୍ଷ ପୂର୍ବରୁ ନିଜ ଗୃହ ଜିଲ୍ଲା କିମ୍ବା ସେମାନଙ୍କ ପସନ୍ଦର ଜିଲ୍ଲାକୁ ବଦଳି ପାଇଁ ଆବେଦନ କରିପାରିବେ। ଏହାବ୍ୟତୀତ ଯେଉଁ ଅଧିକାରୀମାନେ କେବିକେ ଅଂଚଳରେ କ୍ରମାଗତ ଭାବେ ୬ ବର୍ଷର ସେବା ସମ୍ପୂର୍ଣ୍ଣ କରିଥିବେ, ସେମାନଙ୍କୁ ମଧ୍ୟ ସମ୍ବେଦନଶୀଳ ପଦବୀ ବ୍ୟତୀତ ନିଜ ଗୃହ ଜିଲ୍ଲା କିମ୍ବା ପସନ୍ଦର ସ୍ଥାନକୁ ବଦଳି କରାଯିବା ନେଇ ବିଚାର କରାଯିବ।

Leave a comment