ବଢ଼ୁଛି ଶୀତ,ଖସିବାରେ ଲାଗିଛି ରାତି ପାରଦ
ରାଜ୍ୟକୁ ଶୁଷ୍କ ଓ ଥଣ୍ଡା ଉତ୍ତରା ବାୟୁର ପ୍ରବାହ ହେତୁ ତାପମାତ୍ରା କମିଛି ଓ ଶୀତ ବଢ଼ିଛି। ପ୍ରବଳ ଶୀତ ଯୋଗୁ ବସ୍ତି ଅଞ୍ଚଳରେ ଲୋକମାନେ ରାସ୍ତାକଡ଼ରେ ନିଆଁ ପୁଆଉଁଥିବା ଦେଖିବାକୁ ମିଳୁଛି। ଗତ କିଛି ଦିନ ହେଲା ଏହି ଭଳି ଶୀତ ଲାଗି ରହିଥିବା ବେଳେ ବୟସ୍କ ଓ ଶିଶୁମାନେ ଜ୍ବର, ଥଣ୍ଡା ଓ କାଶରେ ଆକ୍ରାନ୍ତ ହେଉଛନ୍ତି। ନିରାଶ୍ରୟମାନେ ରାସ୍ତାକଡ଼ରେ ନିଆଁ ଜାଳି ଶୀତରୁ ରକ୍ଷା ପାଇବାକୁ ଉଦ୍ୟମ କରୁଛନ୍ତି। ଆଗରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦ୍ବୈତନଗରୀର ରାସ୍ତାଘାଟରେ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଏବେ ୯ଟା ବେଳକୁ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି।ଖସିବାରେ ଲାଗିଛି ରାତି ପାରଦ। ବଢ଼ୁଛି ଶୀତ। ଏଥିସହ ଥରୁଛି ସାରା ଓଡ଼ିଶା। ବର୍ଷତମାମ ଖରାକୁ ଡରୁଥିବା ଲୋକେ ସକାଳୁ ଖରା ପଡ଼ିବାକୁ ଅନାଇ ବସୁଛନ୍ତି। ଦିନତମାମ ଘର ଭିତରେ ଥଣ୍ଡାରୁ ମୁକ୍ତି ମିଳୁନି। ଦିନ ଢଳିବା ସହ ଶୀତ ପ୍ରକୋପ ବଢ଼ୁଛି। ଅନ୍ଧାର ବି ଶୀଘ୍ର ଘୋଟିଆସୁଛି। ଏଥିସହ ହାଡ଼ଭଙ୍ଗା ଜାଡ଼ରେ ଅସ୍ତବ୍ୟସ୍ତ ହେଉଛନ୍ତି ଦ୍ବୈତନଗରବାସୀ। କାରଣ ରାଜଧାନୀ ଭୁବନେଶ୍ବରର ପାରଦ ସ୍ତର ସ୍ବାଭାବିକଠାରୁ ୪.୧ ଡିଗ୍ରି ତଳକୁ ଖସି ଗତକାଲି ରାତିରେ ୧୧.୮ ଡିଗ୍ରିରେ ପହଞ୍ଚିଥିଲା। ସେହିଭଳି କଟକର ରାତି ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ତଳକୁ ଖସି ୧୧.୬ ଡିଗ୍ରି ରେକର୍ଡ ହୋଇଥିଲା।୧୩ ତାରିଖରୁ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଦେଖାଯାଇପାରେ।