ଭାରତ ବିଜୟୀ : କିଙ୍ଗ୍ କୋହଲିଙ୍କ ଶତକ , ରୋହିତଙ୍କ ରେକର୍ଡ ଛକା
ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ୍ ସଂଗ୍ରହ କରିଥିଲା। ଏଥିସହ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୩୫୦ ରନ୍ର ବିଶାଳ ଲକ୍ଷ୍ୟ ମିଳିଥିଲା। ତେବେ ଏତେ ବଡ଼ ସ୍କୋରକୁ ଅତିକ୍ରମ କରିନପାରି ସାଉଥ ଆଫ୍ରିକା ପରାଜୟ ବରଣ କରିଛି ।
ବିରାଟ କୋହଲି ୧୨୦ ବଲ୍ରେ ୧୩୫ ରନ୍ର ଚମତ୍କାର ଇନିଂସ ଖେଳିଥିଲେ, ଯାହା ତାଙ୍କ କ୍ୟାରିୟରର ୫୨ତମ ଦିନିକିଆ ଶତକ। ରୋହିତ ଶର୍ମା ୫୧ ବଲ୍ରେ ୫୭ ରନ୍ର ଦ୍ରୁତ ଅର୍ଦ୍ଧଶତକ କରିଥିଲେ । କେ.ଏଲ୍. ରାହୁଲ ୫୬ ବଲ୍ରେ ୬୦ ରନ୍ର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ମାରିଥିଲେ। ରବୀନ୍ଦ୍ର ଜାଡ଼େଜା ୨୦ ବଲ୍ରେ ୩୨ ରନ୍ର ଦ୍ରୁତ ଇନିଂସ ଖେଳି ଭାରତର ସ୍କୋରକୁ ୩୫୦ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। ଏହା ଭାରତର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ସର୍ବୋଚ୍ଚ ଦିନିକିଆ ସ୍କୋର୍।
ଭାରତ ୩୫୦ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଦେବା ପରେ ଘରୋଇ ଦଳର ବିଜୟକୁ ନେଇ ପ୍ରଶଂସକ ଆଶ୍ବସ୍ତ ଥିଲେ। ଦକ୍ଷିଣ ଆଫ୍ରିକା କିନ୍ତୁ ପାରୁ ପର୍ଯ୍ୟନ୍ତ ଲଢ଼ିଥିଲା। ୧୧ ରନ୍ରେ ୩ ୱିକେଟ୍ର ଝଟ୍କାରୁ ବାହାରି ଭାରତ ଉପରୁ ଶେଷ ପର୍ଯ୍ୟନ୍ତ ଚାପ ହଟିବାକୁ ଦେଇ ନଥିଲା। ତିନିଟି ଅର୍ଦ୍ଧଶତକ ଏବଂ ଦୁଇଟି ୩୦ରୁ ଅଧିକ ରନ୍ର ଦ୍ରୁତ ପାଳି ବଳରେ ଏକଦା ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେବାର ଆଶଙ୍କା ବି ସୃଷ୍ଟି କରିଥିଲା ଏହି ଦଳ। ମାର୍କୋ ୟାନ୍ସେନ୍ ଓ ମାଥ୍ୟୁ ବ୍ରିଜ୍କେ ଧମାକାଦାର ବ୍ୟାଟିଂ କରିବା ପୂରା ଷ୍ଟାଡିୟମ୍ରେ ନିରବତା ଭରି ଦେଇଥିଲା। ଉଭୟଙ୍କୁ ଗୋଟିଏ ବଲ୍ ବ୍ୟବଧାନରେ ଆଉଟ୍ କରି କୁଲଦୀପ ଯାଦବ ଭାରତର ବିଜୟ ପଥ କିଛିଟା ସୁଗମ କରିଥିଲେ। ଅନ୍ୟତମ ଦକ୍ଷିଣ ଆଫ୍ରିକୀୟ ଅଲ୍ରାଉଣ୍ଡର୍ କର୍ବିନ୍ ବସ୍ କିନ୍ତୁ ଲଢ଼ିବା ଛାଡ଼ି ନଥିଲେ। ତାଙ୍କ ବଡ଼ ବଡ଼ ସଟ୍ ପାଇଁ ଭାରତୀୟ ପ୍ରଶଂସକଙ୍କ ଛାତି ଧଡ଼ଧଡ଼ ହୋଇଥିଲା। ଶେଷରେ ସାଥୀଙ୍କ ନିୟମିତ ହରାଇବାର ଜଟିଳ ପରିସ୍ଥିତିରେ ମାନସିକ ଦୃଢ଼ତା ହରାଇ ସେ ଅନ୍ତିମ ଓଭରରେ ଦ୍ବିତୀୟ ବଲ୍ରେ ଆଉଟ୍ ହୋଇଯାଇଥିଲେ। ଦକ୍ଷିଣ ଅଫ୍ରିକା ଲଢ଼ୁଆ କ୍ରିକେଟ୍ ଖେଳି ୪୯.୨ ଓଭରରେ ୩୩୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
କୋହଲିଙ୍କ ଦମଦାର ଶତକ । ନିଜର କ୍ରିକେଟିଂ କ୍ୟାରିୟରର ୫୨ ତମ ଶତକ ହାସଲ କରିଛନ୍ତି କୋହଲି । ୧୦୨ ବଲ୍ରେ ୭ଟି ଚୌକା ଓ ୫ଟି ଛକା ବଳରେ ଶତକ ହାସଲ କରିଛନ୍ତି କୋହଲି । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିଛନ୍ତି । କୋହଲି ନିଜର ପ୍ରଶଂସକ ଏବଂ କ୍ରିକେଟ୍ପ୍ରେମୀଙ୍କୁ ଉତ୍ସାହିତ କରିଛନ୍ତି। କୋହଲିଙ୍କର ଏହି ଶତକରେ କ୍ରିକେଟ୍ପ୍ରେମୀମାନେ ଉତ୍ସାହିତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଅନ୍ତର୍ଜାତୀୟ ଶୃଙ୍ଖଳାରେ ଝାଡ଼ଖଣ୍ଡର ରାଞ୍ଚିରେ ସେ ଦିନିକିଆ କ୍ରିକେଟ୍ କ୍ୟାରିୟରର ୫୨ତମ ତଥା ଅନ୍ତର୍ଜାତୀୟ ମ୍ୟାଚ୍ରେ ୮୩ତମ ଶତକ ହାସଲ କରିଛନ୍ତି।
ମାର୍କୋ ଜାନସେନଙ୍କ ଦ୍ବାରା ଫିଙ୍ଗାଯାଇଥିବା ୩୮ତମ ଓଭରରେ ବିରାଟ କୋହଲି ଶତକ ହାସଲ କରିଛନ୍ତି। ସେ ୧୦୨ଟି ବଲ୍ ଖେଳି ଏହି ଶତକ ହାସଲ କରିଛନ୍ତି, ଯେଉଁଥିରେ ୫ଟି ଛକା ଏବଂ ୭ଟି ଚୌକା ସାମିଲ ରହିଛି। ରୋହିତ ଶର୍ମା ଏହି ମ୍ୟାଚ୍ରେ ବଡ଼ ରେକର୍ଡ କରିଛନ୍ତି। ସେ ଏବେ ଦିନିକିଆ ଅନ୍ତର୍ଜାତୀୟରେ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇପାରିଛନ୍ତି। ଏହି ମୁକାବିଲା ପର୍ଯ୍ୟନ୍ତ ରୋହିତଙ୍କୁ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରୀଦୀଙ୍କ ରେକର୍ଡ ଭାଙ୍ଗିବାକୁ ୩ଟି ଛକା ଦରକାର ଥିଲା। ସେ ଭାରତୀୟ ଇନିଂସର ୨୦ତମ ଓଭରରେ ମାର୍କୋ ଜାନସନଙ୍କ ବଲ୍ରେ ଛକା ମାରିଥିଲେ ଏବଂ ଆଫ୍ରୀଦୀଙ୍କୁ ପଛରେ ପକାଇଥିଲେ। ଦିନିକିଆ ଅନ୍ତର୍ଜାତୀୟରେ ଆଫ୍ରୀଦୀ ୩୯୮ଟି ମ୍ୟାଚ୍ରେ ୩୫୧ଟି ଛକା ମାରିଥିଲେ। ଏହାକୁ ରୋହିତ ଭାଙ୍ଗିଛନ୍ତି। ରୋହିତ ୨୭୭ଟି ଦିନିକିଆ ମ୍ୟାଚ୍ରେ ୩୫୨ଟି ଛକା ମାରିପାରିଛନ୍ତି।