ଇଣ୍ଡିଆ – ଅଷ୍ଟ୍ରେଲିଆ ୨ୟ ଟି-୨୦ – ଭାରତକୁ ୪ ୱିକେଟରେ ହରାଇ ଦେଇଛି ଅଷ୍ଟ୍ରେଲିଆ
2nd T-20 : ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମସିସି)ଠାରେ ଶୁକ୍ରବାର ଖେଳାଯାଇଥିବା ୨ୟ ଟି-୨୦ (2nd T-20) ମ୍ୟାଚରେ ଭାରତକୁ ୪ ୱିକେଟରେ ହରାଇ ଦେଇଛି ଅଷ୍ଟ୍ରେଲିଆ । ଭାରତର ୧୨୬ ରନ ଟାର୍ଗେଟକୁ ଅଷ୍ଟ୍ରେଲିଆ ୧୩.୨ ଓଭରରେ ହାସଲ କରିନେଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ସ ୪୬ ରନ କରିଥିବାବେଳେ ଟ୍ରାଭିସ୍ ହେଡ୍ ୨୮ ରନ କରିଥିଲେ । ସେହିପରି ଜୋସ୍ ଇଂଗଲିସ୍ ୨୦ ରନ କରିଥିଲେ । ଭାରତ ପକ୍ଷରୁ ଯସପ୍ରୀତ ବୁମରା, କୁଳଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଏକ ଭଲ ଆରମ୍ଭ କରିଥିବା ସତ୍ତ୍ବେ ୨୦ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା । ଶୁବମନ ମାତ୍ର ୫ ରନ କରି ହେଜେଲଉଡଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ଚାଲିଥିଲା । ଅଭିଷେକ ଶର୍ମା ଓ ହର୍ଷିତ ରାଣାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଂକ ଛୁଇଁପାରିନଥିଲେ । ଅଭିଷେକ ୬୮ ରନ କରିଥିବାବେଳେ ରାଣା ୩୫ ରନ କରିଥିଲେ । ଭାରତ ୧୨୫ ରନ କରି ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହେଜେଲଉଡ୍ ୩ଟି ୱିକେଟ୍ ନେଇଥିବାବେଳେ ଜାଭିଏର ବାର୍ଟଲେଟ ଓ ନାଥନ ଏଲିସ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ସୂଚନାଯୋଗ୍ୟ ଯେ ଏହି ସିରିଜର ପ୍ରଥମ ମ୍ୟାଚଟି ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ଏହି ସିରିଜରେ ମୋଟ ୫ଟି ମ୍ୟାଚ ଖେଳାଯିବ ।