ସ୍ନେହାଙ୍ଗିନୀ ଛୁରିଆ  ହେବେ ବିଜେଡି ପ୍ରାର୍ଥୀ

 ସ୍ନେହାଙ୍ଗିନୀ ଛୁରିଆ  ହେବେ ବିଜେଡି ପ୍ରାର୍ଥୀ।  ନୂଆପଡ଼ା ଉପନିର୍ବାଚନ ପାଇଁ ସରପ୍ରାଇଜ କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ପୁରୁଖା ନେତା, ବେଶ ଅଭିଜ୍ଞ ରାଜନେତା ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭରସା କରିଛି ବିଜେଡି। ଦଳର ସଭାପତି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।

 ଅତାବିରର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ  ପ୍ରାର୍ଥୀ ଘୋଷଣା କରି ନବୀନ ପଟ୍ଟନାୟକ ରାଜ୍ୟ ରାଜନୀତିକୁ ଚମକାଇ ଦେଇଛନ୍ତି। ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀରୁ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ। 2009ରେ ପରାସ୍ତ ହୋଇଥିଲେ ।  ଆଉ ତାଙ୍କୁ ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ଖେଳିଛି। ଅତାବିରାର ଝିଅ ଏବେ ନୂଆପଡ଼ା ରଣାଙ୍ଗନରେ ସମ୍ଭାଳିବେ ବିଜେଡିର ମୋର୍ଚ୍ଚା। 

ଦକ୍ଷତା ସାଙ୍ଗକୁ ଆନୁଗତ୍ୟ ଉପରେ ବୋଧହୁଏ ଲାଗିଛି ଷ୍ଟାମ୍ପ। ଏକାଧିକ ଆଶାୟୀ ଥିଲେ ବି ବରିଷ୍ଠତା, ଅଭିଜ୍ଞତା, ଦକ୍ଷତା ଓ ଲୋକପ୍ରିୟତା ସ୍ନେହାଙ୍ଗିନୀଙ୍କୁ ଦଳ  ରଣାଙ୍ଗନରେ ଓହ୍ଲାଇଛି। ତେବେ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରି ବଡ଼ ଗୋଟି ଚାଳନା କରିଛନ୍ତି ନବୀନ ପଟ୍ଟନାୟକ। ନୂଆପଡ଼ା ମାଟି ସହ ଜଡ଼ିତ ନ ଥିବା ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରି ବିଜେଡି ନୂଆପଡ଼ାର ରାଜନୈତିକ ସମୀକରଣ ବଦଳାଇବାକୁ ଅଣ୍ଟା ଭିଡ଼ିଛି। ଛୁରିଆ ଦଳର ଅନେକ ପଦରେ କାମ କରିବା ସହ ସାଂଗଠନିକ ଦାୟିତ୍ଵ ମଧ୍ୟ ସମ୍ଭାଳିଛନ୍ତି। 

ନବାଗତ ଜୟ ଢୋଲକିଆ ଏବଂ ଅଭିଜ୍ଞ ଘାସିରାମ ମାଝୀ ଦଳ ଏବଂ ଲୋକ ସଂପର୍କ ଦୃଷ୍ଟିରୁ ବେଶ ମଜବୁତ ପ୍ରତିଦ୍ଵନ୍ଦ୍ଵୀ। କିନ୍ତୁ ୨୦୨୪ ନିର୍ବାଚନରେ ଶଙ୍ଖ ଚିହ୍ନକୁ ଜିତାଇଥିଲେ ନୂଆପଡ଼ାବାସୀ। ତେଣୁ ଶଙ୍ଖ ଚିହ୍ନ ବଳରେ ପାରମ୍ପରିକ ଭୋଟରଙ୍କୁ ନିଜ ସହ ରଖିବା ହିଁ ସ୍ନେହାଙ୍ଗିନୀ ପାଇଁ ଚ୍ୟାଲେଞ୍ଜ। 

 ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଏବେ ବିଜେପିର ପ୍ରାର୍ଥୀ। ଅନୁକମ୍ପା ଭୋଟକୁ ଟାଣିବାକୁ  ବିଜେପି ପ୍ରୟାସ କରିବ। ଡବଲ ଇଂଜିନି ସରକାର ଏବଂ  ଦଳୀୟ ପାରମ୍ପରିକ ଭୋଟ୍ ଦୃଷ୍ଟିରୁ ଜୟଙ୍କ ପଲ୍ଲା ଭାରି। ସେପଟେ କଂଗ୍ରେସ ଘାସିରାମ ମାଝୀ ଗତ ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ହୋଇ ବି  ଦୁଇ ନମ୍ବରରେ ରହିଥିଲେ। ତାଙ୍କର ନିଜସ୍ଵ ଭୋଟ୍ ସହ କଂଗ୍ରେସର ପାରମ୍ପରିକ ଭୋଟ୍ ପାଇବାକୁ ସେ ଆଶା ରଖିଛନ୍ତି। ବିଜେଡି ଏଥର କେତେ ଭୋଟ ପାଇବ ଭୋଟ ଫଳାଫଳକୁ  ଅପେକ୍ଷା । 

Leave a comment