ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଜୟ ଢୋଲକିଆ ଜିତିବେ । ଏନେଇ ସ୍ପଷ୍ଟ କଥା କହିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । ତାଙ୍କ କହିବା କଥା ଜୟଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି । ୧୬ ତାରିଖରେ ଜୟ ନାମାଙ୍କନ ଭରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦଳର ଅନ୍ୟ ବରିଷ୍ଠ ନେତାମାନେ ପ୍ରାର୍ଥୀପତ୍ର ଦାଖଲସମୟରେ ଉପସ୍ଥିତ ରହିବେ।
ସେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଲୋକମାନେ ବିଜେପିକୁ ପସନ୍ଦ କରୁଛନ୍ତି । ନୂଆପଡ଼ାର ଲୋକ ମଧ୍ୟ ବିଜେପିକୁ ଭୋଟ ଦେବାକୁ ଅପେକ୍ଷା କରିଛନ୍ତି । ଏଥିପାଇଁ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ। ବିଜେଡି ନେତାମାନେ କେବଳ କଥା କହୁଛନ୍ତି । ସେମାନେ ଏଯାଏ ପ୍ରାର୍ଥୀ ସ୍ଥିର କରିପାରିନାହିଁ। ସେପଟେ କଂଗ୍ରେସକୁ ଲୋକେ ପସନ୍ଦ କରୁନାହାନ୍ତି। ଏଣୁ ବିଜେପି ଏଠାରେ ଜିତିବା ସୁନିଶ୍ଚିତ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର।
ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ମନ୍ତ୍ରୀ ସାଂସଦ ଓ ବିଧାୟକ ବିଶାଳ ରାଲିରେ ଆସିବେ। ସେହି ଦିନ ଆୟୋଜିତ ହେବ ଏକ ବିଶାଳ ସମାବେଶ । ଯେଉଁଥିରେ ୨୦୦୦ ରୁ ଅଧିକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର।
ସୁଜିତ କହିଛନ୍ତି , ୨୪ ନିର୍ବାଚନ ଭଳି ନୂଆପଡ଼ାରେ ମଧ୍ୟ ବିଜେପିକୁ ଲୋକ ଆଶୀର୍ବାଦ କରିବେ । କାରଣ ଦେଢ଼ ବର୍ଷ ଭିତରେ ସୁଭଦ୍ରା ଯୋଜନାରେ ଭଉଣୀମାନେ ଉପକୃତ ହୋଇଛନ୍ତି । ଏମଏସପି ବୃଦ୍ଧି, ପିଏମ କିଷାନରେ କୃଷକମାନେ ଉପକୃତ ହୋଇଛନ୍ତି । ଯୁବକଙ୍କ ବିକାଶ ପାଇଁ ବିଜେପି ସରକାର ଅନେକ କାମ କରିଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଜ୍ୟରେ ମୋହନଙ୍କ ନେତୃତ୍ୱରେ ବିକାଶ ପଥରେ ଆଗେଇ ଚାଲିଛି ଓଡ଼ିଶା । ତେଣୁ ନୂଆପଡ଼ା ଜନତା ମଧ୍ୟ ବିଜେପିକୁ ଭରସା କରିବେ ।
ସେପଟେ ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ବିଜେପି ଓ ବିଜେଡି ବଡ଼ ବେପାରୀ ଦଳ । ଆମେ ଲୋକଙ୍କ ଦଳ। ଭକ୍ତ ଦାସ ଠିକ ସମୟରେ ଠିକ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ଆଦିବାସୀ । ସେଠି ଆଦିବାସୀଙ୍କୁ ଗୁରତ୍ବ ଦିଆଯାଇଛି । କାହା ସହିତ କଂଗ୍ରେସ କମ୍ପ୍ରମାଇଜ କରିବ ନାହିଁ ।
ଆଦିବାସୀମାନେ ବିକ୍ରି ହୋଇଥିବା ଲୋକଙ୍କୁ ଘୃଣା କରନ୍ତୁ । ତେଣୁ ଆଉ ସିମ୍ପାଥି ଆଉ କାମ ଦେବନି । ଜୟ ଯେହୁତୁ ଦଳ ବଦଳାଇଛନ୍ତି ନୂଆପଡ଼ାରେ ଲୋକ ତାଙ୍କୁ ଗ୍ରହଣ କରିବେ ନାହିଁ। ତେଣୁ ସେ ତିଷ୍ଠି ପାରିବିନି । କଂଗ୍ରେସର ପ୍ରଚାର ଆରମ୍ଭ ହୋଇଗଲାଣି । ପ୍ରଚାର ପାଇଁ ଏଆଇସିସିର ଦାୟିତ୍ୱରେ ଯେଉଁମାନେ ଅଛନ୍ତି ସେମାନେ ଆସିବେ।
ପିସିସି ସଭାପତି ଭକ୍ତ ଦାସ ଏକା କାଫି। ବିଜେପିର ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ଓ ଟଙ୍କା ଲଗାଇବେ। ହେଲେ ଆଦିବାସୀ ଟଙ୍କାରେ ବିକ୍ରି ହେବେ ନାହିଁ। ନବୀନଙ୍କ ସହ ଲୋକ ଆଉ ନାହାନ୍ତି। ଲୋକ ନବୀନଙ୍କ ସହ ଥିଲେ ତାଙ୍କ ପ୍ରାର୍ଥୀ ବିଜେପିକୁ ଯାଇ ନ ଥାନ୍ତେ। ବିଜେଡିକୁ ଏବେ ପ୍ରାର୍ଥୀ ମିଳୁ ନାହାନ୍ତି। ସେ ବାହାର ଦଳର ଆମଦାନୀ କରିବାକୁ ବସିଲେନି।