ବିଜେଡି ସରକାର ସମୟରେ ମହିଳାଙ୍କୁ ସ୍କୁଟି ଦିଆଯାଇଥିଲା । ଏବେ କିନ୍ତୁ ବିଜେପି ସରକାର ମହିଳାଙ୍କୁ କାର ଦେବେ । ମହିଳାଙ୍କୁ ସଶକ୍ତ କରାଇବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ‘ଆମ ସୁବାହକ’ ଯୋଜନା । ଏହି ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇବେ ସରକାର । ଯାହା ଫଳରେ ମହିଳା କାର କିଣି ଚଲାଇବେ, ନିଜର ରୋଜଗାର ବଢ଼ାଇବେ । ୪ ବର୍ଷରେ ୧୧୦୦ ମହିଳାଙ୍କୁ ଋଣ ଦେବେ ସରକାର । ସେମାନେ ଏହି ଋଣରେ କାର କିଣିବେ ।
ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଆତ୍ମନିର୍ଭର ମହିଳା ଆମ ସୁବାହକ’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି | ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥିରେ ୪ବର୍ଷରେ ୧୧୦୦ଜଣ ମହିଳାଙ୍କୁ କାର୍ କିଣି ଟ୍ୟାକ୍ସି ଭାବେ ବ୍ୟବହାର କରିବାକୁ ବ୍ୟାଙ୍କରୁ ଜଣଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇ ଦିଆଯିବା ଏହି ଋଣର କିସ୍ତି ମହିଳାମାନେ ୫ବର୍ଷରେ ସୁଝିବେ। ରାଜ୍ୟ ସରକାର ବାର୍ଷିକ ୧୧% ହାରରେ ସୁଧ ସୁଝିବେ |
ପରେ ବ୍ୟାଙ୍କକୁ ଋଣ ସୁଝିବେ । ପ୍ରଥମ ବର୍ଷରେ ୨୦୦ ଜଣଙ୍କୁ ଦିଆଯିବ କାର୍ । ଦ୍ୱିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦ ଜଣଙ୍କୁ ଦିଆଯିବ କାର୍ । ଚତୁର୍ଥ ବର୍ଷରେ ୩୫୦ ମହିଳାଙ୍କୁ ଦିଆଯିବ ଗାଡ଼ି । ଇଭି ଗାଡ଼ି କିଣିଲେ ଅଧିକ ୨ ଲକ୍ଷ ଟଙ୍କା ମିଳିବ ପ୍ରୋତ୍ସାହନ ରାଶି । ୨୧ରୁ ୪୦ ବର୍ଷର ମହିଳାଙ୍କୁ ଋଣ ମିଳିବ ।
ସୂଚନା ଅନୁସାରେ ସୁଭଦ୍ରା ହିତାଧିକାରୀ, ମହିଳା ଏସ୍ଏଚ୍ଜିଙ୍କୁ ସରକାର ଅଗ୍ରାଧିକାର ଦେବେ । ସେହିଭଳି ଏସଆରଟିସି, କ୍ରୁଟ୍ ଡ୍ରାଇଭରଙ୍କୁ ଦିଆଯିବ ଅଗ୍ରାଧିକାର । ଗାଡ଼ି ନେବାବେଳେ ୧ଲକ୍ଷ ଟଙ୍କା ଦେବ ବାଣିଜ୍ୟ ଓ ପରିବହନ ବିଭାଗ । ବାକି ୯ ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ଆକାରରେ ମିଳିବ ।
ଗାଡ଼ି କିଣିବାର ୩ ମାସ ପରେ ଆରମ୍ଭ ହେବ ଋଣ ପରିଶୋଧ ପ୍ରକ୍ରିୟା । ସୁଧ ବାଣିଜ୍ୟ ଓ ପରିବହନ ବିଭାଗ ଏହାକୁ ସୁଝିବ । ଗାଡ଼ି ଚାଳକଙ୍କ ବୀମା ବାବଦରେ ୧ ହଜାର ଟଙ୍କା ଦେବେ ସରକାର । ଗାଡ଼ି କିଣିବା ବାବଦରେ ଖର୍ଚ୍ଚ ହେବ ୧୧୦ କୋଟି । ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେବା ପାଇଁ ଗଠନ ହେବ ଷ୍ଟିୟରିଂ କମିଟି । ପରିବହନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେବ ଷ୍ଟିୟରିଂ କମିଟି । ପ୍ରତି ୩ ମାସରେ ଥରେ ମହିଳାଙ୍କ ଆୟର ହିସାବ କରିବେ ସରକାର । ଏବେ ସୁଦ୍ଧା ୬୨୧୬ ମହିଳା ଡ୍ରାଇଭିଂ ଟ୍ରେନିଂ ନେଇଛନ୍ତି । ସେମାନଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ।