ଢୋଲକିଆଙ୍କ ସମର୍ଥକଙ୍କ ରାଲି

ସସ୍‌ପେନ୍ସ ବଢ଼ାଉଛି ଜୟ ଢୋଲକିଆଙ୍କ ସମର୍ଥକଙ୍କ ରାଲି। ନୂଆପଡ଼ା ଖରିଆର ରୋଡରେ ଜୟ ଢୋଲକିଆ ସମର୍ଥକ ବଡ଼ ରାଲି କରିଛନ୍ତି। କୌଣସି ଦଳର ପତାକା ନ ନେଇ ବଡ଼ ରାଲି ସହ ସଭା ମଧ୍ୟ କରିଛନ୍ତି। ଆମେ ଢୋଲକିଆଙ୍କ ପରିବାର ସହ ଅଛୁ କହି ନାରାବାଜି ଦେଇଛନ୍ତି। ତେବେ ଏପଟେ ଜୟ ଭାଜପାରେ ମିଶିବା ନେଇ ଚର୍ଚ୍ଚା ହେଉଛି।  ଦେବୀ ମିଶ୍ର ମଧ୍ୟ କହିଛନ୍ତି କାଲି ରାତି ପର୍ଯ୍ୟନ୍ତ ଆମ ସହ ଯୋଗାଯୋଗରେ ଥିଲେ ଜୟ । ସକାଳୁ ସେ ଫେରିବା କଥା, କିନ୍ତୁ ଆସିନାହାନ୍ତି।

ଜୟଙ୍କୁ ସ୍ବାଗତ କରିବାକୁ ଭାଜପା କାର୍ଯ୍ୟାଳୟ ମଧ୍ୟ ପ୍ରସ୍ତୁତି ଆରମ୍ଭ କଲାଣି। ବର୍ତ୍ତମାନ ଜୟଙ୍କ ଭାଜପା ଯୋଗ ଦେବାର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ରାଜ୍ୟ ଭାଜପା ମୁଖ୍ୟାଳୟରେ ଶୀଘ୍ର ଆନୁଷ୍ଠାନିକ ଯୋଗଦାନ ହୋଇପାରେ ବୋଲି କୁହାଯାଉଛି। ଯାହା ବିଜେଡିକୁ ଏକ ଶକ୍ତ ଝଟ୍‌କା ବୋଲି କୁହାଯାଉଛି।  କୁହାଯାଉଛି ଯେ ଜୟ ଭାଜପାର କେନ୍ଦ୍ରୀୟ ନେତୃତ୍ବଙ୍କୁ ବି ଭେଟିସାରିଲେଣି। ଆଜି ସେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମ ଧରିପାରନ୍ତି ବୋଲି କୁହାଯାଉଛି । କାରଣ ଢୋଲକିଆଙ୍କ ପରେ ଜୟଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ବିଜେଡି ନେତା ଦେବୀ ମିଶ୍ର କିଛିଦିନ ପୂର୍ବରୁ ସଙ୍କେତ ଦେଇଥିଲେ। କିନ୍ତୁ ଜୟ ଦଳ ଛାଡିଲେ ବିଜେଡିକୁ ଏହା ଶକ୍ତ ଝଟ୍‌କା ଦେଇପାରେ।

ଜୟଙ୍କ ବାପା ବିଜେଡରେ ଥିବାରୁ ସେ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା। ଯାହାଦ୍ୱାରା ବିଜେଡିକୁ ସିମ୍ପାଥି ଭୋଟ ମଧ୍ୟ ମିଳିଥାଆନ୍ତା। କିନ୍ତୁ ଗତକାଲି ନବୀନ ଦିଲ୍ଲୀରୁ ଫେରୁ ଫେରୁ ଜୟଙ୍କ ପଦ୍ମ ଧରିବା କିଛି ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି। ଯଦି ଭାଜପା ପକ୍ଷରୁ ଜୟ ପ୍ରାର୍ଥୀ ହୁଅନ୍ତି ତେବେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ଓଡ଼ିଶାର ରାଜନୀତିରେ ନେତାଙ୍କ ଦଳ ପରିବର୍ତ୍ତନ ନୂଆ କଥା ନୁହେଁ । ବିଜେଡି ସରକାର ଥଲାବେଳେ ବିରୋଧୀ ଦଳର ଅନେକ ନେତାଙ୍କୁ ନିଜ ଦଳକୁ ନେଇ ଟିକେଟ ଦେଇଛି । ଏବା ବିଜେପି  ଜୟ ଢୋଲକିଆଙ୍କୁ ନୂଆପଡ଼ା ଉପନିର୍ବାଚନରେ ଟିକେଟ ଦେବା ଚର୍ଚା ଆରମ୍ଭ ହୋଇଛି । ଜୟ କିଛି ଦିନ ପୂର୍ବରୁ ବିଜେଡିରୁ ଲଢ଼ିବେ ବୋଲି ଆମ ସହ କଥା ହେବା ବେଳେ କହିଥିଲେ । କାରଣ ତାଙ୍କ ବାପା ଚାରି ଥର ବିଧାୟକ ହୋଇଛନ୍ତି । ସେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହେଉଥିଲେ । ଏବେ ତାଙ୍କର ମୃତ୍ୟୁ ଘଟିବା ପରେ ଜୟ ବିଜେପିରେ ମିଶିବା ଚର୍ଚା ଜୋର ଧରିଛି।

ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ  ବିଜେପିରେ ଯୋଗ ଦେଇ ସେହି ଦଳରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ଏହା ବିଜେଡିର ପାଇଁ ଏକ ବଡ଼ ଆହ୍ବାନ, କାରଣ ଜୟଙ୍କୁ ପୂର୍ବରୁ ବିଜେଡିର ପ୍ରାର୍ଥୀ ଭାବରେ ଦେଖାଯାଉଥିଲା । ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ସେହି ସିଟ୍ ଖାଲି ହୋଇଥିବାରୁ ଏହି ଉପନିର୍ବାଚନ ନଭେମ୍ବର ୧୧ରେ ହେବ। ସୂତ୍ର ଅନୁଯାୟୀ, ଜୟ ଢୋଲକିଆ ଆଜି ବିଜେପିରେ ଯୋଗ ଦେବା ସହ ପ୍ରାର୍ଥୀତ୍ୱ ଘୋଷଣା ହେବ। ଏହା ବିଜେପିର ଏକ ରଣନୀତିକ ସଫଳତା, ଯାହା ଢୋଲକିଆ ପରିବାରର ସ୍ଥାନୀୟ ପ୍ରଭାବକୁ ନିଜ ପକ୍ଷରେ ନେଇବ। ପୂର୍ବରୁ ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଜୟଙ୍କୁ ସମର୍ଥନ ଦେଉଥିଲା, କିନ୍ତୁ ଏବେ ସେ ବିଜେପିର ଶିବିରକୁ ଯିବା ସ୍ପଷ୍ଟ ହୋଇଛି ।  ଓଡ଼ିଶା ରାଜନୀତିରେ ଏହା ଏକ ବଡ଼ ଟ୍ୱିଷ୍ଟ ଭାବେ ଚର୍ଚ୍ଚାରେ ରହିଛି। କଂଗ୍ରେସ ପକ୍ଷରୁ ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି, କିନ୍ତୁ ବିଜେପି-ବିଜେଡି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି ରହିବ। ଜୟଙ୍କ ଏହି ନିଷ୍ପତ୍ତି ନୂଆପଡ଼ାର ବିକାଶ ଓ ସ୍ଥାନୀୟ ସମସ୍ୟା ଉପରେ ଆଧାରିତ ବୋଲି କୁହାଯାଉଛି।

 

Leave a comment