7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ

ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକ ଲୋକାଭିମୁଖୀ ପଦକ୍ଷେପ ସ୍ୱରୂପ, ବାଧ୍ୟତାମୂଳକ ବାୟୋମେଟ୍ରିକ୍ ସଂଶୋଧନ (ଏମବିୟୁ-1) ପାଇଁ ସମସ୍ତ ଦେୟ ଛାଡ଼ କରିଛି, ଯାହା ପ୍ରାୟ 6 କୋଟି ପିଲାଙ୍କୁ ଲାଭ ଦେବ ବୋଲି ଆଶା କରାଯାଉଛି। ଏହି ବୟସ ବର୍ଗ ପାଇଁ ଏମବିୟୁ ଶୁଳ୍କ ଛାଡ଼ 1 ଅକ୍ଟୋବର 2025ରୁ ଲାଗୁ ହୋଇସାରିଛି ଏବଂ ଏହା ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ପାଞ୍ଚ ବର୍ଷରୁ କମ୍ ବୟସର ପିଲା ଫଟୋ, ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣା ଏବଂ ଜନ୍ମ ପ୍ରମାଣପତ୍ର ପ୍ରଦାନ କରି ଆଧାର ପାଇଁ ପଞ୍ଜିକରଣ କରିଥା’ନ୍ତି। ଆଧାର ପଞ୍ଜିକରଣ ପାଇଁ ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ଆଙ୍ଗୁଠି ଛାପ ଏବଂ ଆଇରିସ୍ ବାୟୋମେଟ୍ରିକ୍ସ ଗ୍ରହଣ କରାଯାଏ ନାହିଁ କାରଣ ଏହି ବୟସରେ ଏଗୁଡ଼ିକ ପରିପକ୍ୱ ହୋଇନଥାଏ। ପ୍ରଚଳିତ ନିୟମ ଅନୁଯାୟୀ, ପିଲାଟି ପାଞ୍ଚ ବର୍ଷ ବୟସରେ ପହଞ୍ଚିବା ପରେ ତା’ର ଆଧାରରେ ଆଙ୍ଗୁଠି ଛାପ, ଆଇରିସ୍ ଏବଂ ଫଟୋ ସଂଶୋଧନ କରିବା ବାଧ୍ୟତାମୂଳକ। ଏହାକୁ ପ୍ରଥମ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ସଂଶୋଧନ (ଏମବିୟୁ-1) କୁହାଯାଏ। ସେହିପରି, ଜଣେ ପିଲା 15 ବର୍ଷ ବୟସରେ ପହଞ୍ଚିବା ପରେ ପୁଣି ଥରେ ବାୟୋମେଟ୍ରିକ୍ସ ସଂଶୋଧନ କରିବାକୁ ବାଧ୍ୟ, ଯାହାକୁ ଦ୍ୱିତୀୟ ସଂଶୋଧନ ବା ଏମବିୟୁ-2 କୁହାଯାଏ।

 

ପ୍ରଥମ ଏବଂ ଦ୍ୱିତୀୟ ଏମବିୟୁ, ଯଦି ଯଥାକ୍ରମେ 5-7 ଏବଂ 15-17 ବର୍ଷ ବୟସ ମଧ୍ୟରେ କରାଯାଏ, ତେବେ ଏହା ମାଗଣାରେ ହୋଇଥାଏ। ଏହା ପରେ, ପ୍ରତି ଏମବିୟୁ ପାଇଁ 125/- ଟଙ୍କାର ଏକ ନିର୍ଦ୍ଧାରିତ ଶୁଳ୍କ ଆଦାୟ କରାଯାଏ। ଏହି ନିଷ୍ପତ୍ତି ସହିତ ଏମବିୟୁ ବର୍ତ୍ତମାନ 5-17 ବର୍ଷ ବୟସର ସମସ୍ତ ପିଲାଙ୍କ ପାଇଁ ମାଗଣା ହେବ। ସଂଶୋଧିତ ବାୟୋମେଟ୍ରିକ୍ ସହିତ ଆଧାର ସହଜ ଜୀବନଯାପନକୁ ସୁଗମ କରିଥାଏ । ସ୍କୁଲ ନାମଲେଖା, ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜିକରଣ, ଛାତ୍ରବୃତ୍ତିର ଲାଭ, ଡିବିଟି (ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର) ଯୋଜନା, ଇତ୍ୟାଦି ସେବା ପାଇବାରେ ଆଧାରର ସୁଗମ ବ୍ୟବହାର ସୁନିଶ୍ଚିତ କରିଥାଏ। ପିତାମାତା/ଅଭିଭାବକମାନଙ୍କୁ ପ୍ରାଥମିକତାରେ ଆଧାରରେ ସେମାନଙ୍କ ପିଲାର ବାୟୋମେଟ୍ରିକ୍ସ ସଂଶୋଧନ କରିବାକୁ ପରାମର୍ଶ ଦିଆଯାଉଛି।

Leave a comment