ସାରା ଦେଶରେ ଜାଲି ଭୋଟର ଯାଞ୍ଚ ହେବ । ଆଗକୁ ସବୁ ରାଜ୍ୟରେ ଏସଆଇଆର ହେବ । ଏହା କହିଛନ୍ତି ନିର୍ବାଚନ କମିଶନ । ବିହାର ଭୋଟର ଯାଞ୍ଚ ପରେ ଏବେ ସାରା ଦେଶରେ ଏସଆଇଆର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ସମେତ ନିର୍ବାଚନ ଆୟୋଗର ବରିଷ୍ଠ ଅଧିକାରୀମାନେ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ସାରା ଦେଶରେ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) ଅର୍ଥାତ୍ ଭୋଟର ଯାଞ୍ଚ କରାଯିବ । ବିହାରରେ ନିର୍ବାଚନ ପୂର୍ବରୁ ଏସଆଇଆର ହେବାକୁ ନେଇ ରାଜନୈତିକ ବିରୋଧଭାସ ରହିଛି । ଏହାରି ଭିତରେ ସ୍ପଷ୍ଟ ହୋଇଛି ଯେ ଏବେ ସବୁ ରାଜ୍ୟରେ ଭୋଟର କାର୍ଡ ସଂଶୋଧନ ହେବ । ଆଗକୁ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନ ହେବ । ୨୦୨୬ରେ ହେବାକୁ ଥିବା ଏହି ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟର ତାଲିକା ନୂଆ ହେବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନ୍ମସ୍ଥାନ ଯାଞ୍ଚ କରି ଜାଲ ଭୋଟରଙ୍କୁ ଚିହ୍ନଟ କରିବା ।
ଫେବୃଆରୀରେ ମୁଖ୍ୟ ନିର୍ବାଚନ ଆୟୋଗ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଜ୍ଞାନେଶ କୁମାରଙ୍କ ଏହା ତୃତୀୟ ବୈଠକ। ଏଥିରେ ବରିଷ୍ଠ ଅଧିକାରୀମାନେ ଆୟୋଗର ଏସଆଇଆର ନୀତି ଉପରେ ମତ ଉପସ୍ଥାପନ କରିଥିଲେ ।
ଏହା ପୂର୍ବରୁ, ନିର୍ବାଚନ ଆୟୋଗ ମଙ୍ଗଳବାର ବିହାର ନିର୍ବାଚନ ଆୟୋଗକୁ ଏକ ପତ୍ର ପଠାଇ ଭୋଟରଙ୍କ ପରିଚୟ ପାଇଁ ଆଧାର କାର୍ଡକୁ ୧୨ତମ ଡକ୍ୟୁମେଣ୍ଟ ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲା। ନିର୍ବାଚନ ଆୟୋଗର ଏହି ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ୮ ସେପ୍ଟେମ୍ବରର ଆଦେଶ ପରେ ଆସିଛି। ଏବେ ଆଧାରକାର୍ଡ ମଧ୍ୟ ଭୋଟର ଭେରିଫିକେସନ ପାଇଁ ଜରୁରୀ ହୋଇପାରିବ ।