କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ପ୍ରବଳ ହଟ୍ଟଗୋଳ ଭିତରେ ୩ଟି ବିଲ୍ ଆଗତ କରିଛନ୍ତି। ଏହି ବିଲ୍ ଅଧୀନରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଯଦି କୌଣସି ଗୁରୁତର ଅପରାଧରେ ଗିରଫ ହୋଇ ଲଗାତାର ୩୦ ଦିନ ଜେଲ୍ରେ ରହିବେ କିମ୍ବା ହାଜତରେ ଅଟକ ରହିବେ, ତା’ହେଲେ ସେମାନଙ୍କୁ ପଦରୁ ହଟାଇ ଦିଆଯିବ। ଏହି ତିନୋଟି ବିଲ୍ ହେଉଛି ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍, କେନ୍ଦ୍ରଶାସିତ ଅଞ୍ଚଳ ସରକାର (ସଂଶୋଧନ) ବିଲ୍ ଏବଂ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍। ଉଲ୍ଲେଖଯୋଗ୍ୟ, ବିଲ୍ରେ ଥିବା ପ୍ରସ୍ତାବ ଅନୁଯାୟୀ ଯଦି ଜଣେ କାର୍ଯ୍ୟରତ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ଜେଲ୍ଦଣ୍ଡ ଥିବା ଅପରାଧରେ ଲଗାତାର ୩୦ ଦିନ ପାଇଁ ଗିରଫ କରାଯାଏ କିମ୍ବା ଅଟକ ରଖାଯାଏ, ତା’ହେଲେ ସେମାନେ ଗୋଟିଏ ମାସ ମଧ୍ୟରେ ନିଜର ପଦବି ହରାଇବେ।
ସଂସଦରେ ଆଗତ ହୋଇଥିବା ୩ଟି ବିଲ୍କୁ ଅନୁମୋଦନ ମିଳିଲେ ଲଗାତାର ୩୦ ଦିନ ଧରି ଗିରଫ ହେବା ପରେ ଜଣେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ପଦ ହରାଇପାରନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ସଂସଦରେ ବିଲ୍ଗୁଡ଼ିକ ଉପସ୍ଥାପିତ ହୋଇଥିବା ବେଳେ ବିରୋଧୀ ଏହାକୁ ଡ୍ରାକୋନିଆନ (କଠୋର) ବୋଲି କହିଛନ୍ତି। ବିରୋଧୀଙ୍କ ଏକ ପ୍ରମୁଖ ଆଶଙ୍କା ହେଉଛି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ମନଇଚ୍ଛା ଗିରଫ କରି ବିରୋଧୀ-ଶାସିତ ରାଜ୍ୟଗୁଡ଼ିକୁ ଅସ୍ଥିର କରିବା ପାଇଁ ସରକାର ଏହି ଆଇନକୁ ବ୍ୟବହାର କରିବେ। ଆଜି ବିଲ୍କୁ ନେଇ ସଂସଦରେ ନୂଆ ଝଡ଼ ଆରମ୍ଭ ହୋଇଯାଇଥିବା ବେଳେ ଆଗାମୀ ଦିନରେ ଏହା ଅଧିକ ତୀବ୍ର ହେବା ଅନୁମାନ କରାଯାଉଛି ।