ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ କରିବ ଏସ୍ଟିଏଫ୍
ଓଡ଼ିଶାରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବିଦା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି।
ବାଂଲାଦେଶୀ ଅନୁପ୍ରବେଶ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ବ ଦିଆଯାଇଛି।
ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଲାଗି ମାର୍ଗଦର୍ଶିକା ଜାରିସହ ରୂପରେଖ ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ପ୍ରଦାନ କରାଯାଇଛି।
ବିଶେଷକରି ବାଂଲାଦେଶୀ ରହୁଥିବା ହଟ୍ସ୍ପଟ୍ ଚିହ୍ନଟ କରିବା ସହ ତଦାରଖ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ରହିଛି। ସାମୁଦ୍ରିକ ଥାନା, ତଟରକ୍ଷୀବାହିନୀ, ସ୍ଥାନୀୟ ପୁଲିସ ଓ ଗୁଇନ୍ଦା ସହ ସମନ୍ବୟ ରକ୍ଷାକରି ବଡ଼ଧରଣର ଧରପଗଡ଼ ଲାଗି ଯୋଜନା ପ୍ରସ୍ତୁତ ହୋଇଛି।
ଓଡ଼ିଶାରେ ୫୧୧କିମି ବିସ୍ତୃତ ଉପକୂଳ ଅଞ୍ଚଳରେ ବାଂଲାଦେଶୀ ନାଗରିକମାନେ ଆଡ୍ଡା ଜମାଇଛନ୍ତି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜଗତ୍ସିଂହପୁର, ଗଞ୍ଜାମ ଓ ଭୁବନେଶ୍ବର ଭଳି ପ୍ରମୁଖ ସ୍ଥାନରେ ଏମାନଙ୍କୁ ଚିହ୍ନଟ କରାଯାଇଛି।
ଭୁବନେଶ୍ବରର ଏକାଧିକ ସ୍ଥାନ, କେନ୍ଦ୍ରାପଡ଼ା ଓ ରାଜନଗରକୁ ଅତିସମ୍ବେଦନଶୀଳ ଅଞ୍ଚଳ ଭାବେ ବିବେଚନା କରାଯାଇଛି।