ମେଟ୍ରୋ ଓଡିଶା (୭ .୪.୨୦୨୨) :
ଆର୍ଥିକ ଓ ରାଜନୈତିକ ସଙ୍କଟ ଶ୍ରୀଲଙ୍କାରେ କ୍ଷୁଧାକୁ ନିମନ୍ତ୍ରଣ କରିଛି। ସାଧାରଣ ଜନତା ଆଉ ଖାଇବାକୁ ପାଉ ନାହାନ୍ତି। ବିଭିନ୍ନ ଖାଦ୍ୟ ସାମଗ୍ରୀର ଅଭାବ ଓ ଉତ୍କଟ ଦର ବୃଦ୍ଧି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଆବେୟାବର୍ଦ୍ଧନା ଏହି ପରିପ୍ରେକ୍ଷୀରେ ଖାଦ୍ୟ ସଙ୍କଟ ଆହୁରି ଗୁରୁତର ହେବା ନେଇ ଚେତାବନୀ ଶୁଣାଇଛନ୍ତି। ଅପରପକ୍ଷରେ କ୍ରିକେଟର-ରାଜନେତା ଅର୍ଜୁନ ରଣତୁଙ୍ଗା ଦେଶର ସାମ୍ପ୍ରତିକ ସ୍ଥିତି ଯେମିତି ରକ୍ତପାତ ଆଡ଼କୁ ଗତି ନ କରେ ସେଥିପ୍ରତି ସଚେତନ କରାଇ ଦେଇଛନ୍ତି। ଦେଶ ସଙ୍କଟ ମଧ୍ୟରୁ ଉଦ୍ଧାର ପାଇବାର କୌଣସି ସୂଚନା ମିଳୁ ନ ଥିବାବେଳେ ଜନତା ବିକ୍ଷୋଭ ଜାରି ରଖିଛନ୍ତି। ସ୍ଵଚ୍ଛାସେବୀ ସଂଗଠନ, ରାଜନୈତିକ ଦଳ, ଛାତ୍ରସମାଜ, କ୍ରିକେଟ ଖେଳାଳି, ଖ୍ରୀଷ୍ଟୀୟ ନନ୍ଙ୍କ ସହ ଏବେ ଡାକ୍ତରମାନେ ରାସ୍ତାକୁ ଓହ୍ଲାଇଛନ୍ତି।

ଡାକ୍ତରଖାନାରେ ଜୀବନରକ୍ଷାକାରୀ ଔଷଧର ଅଭାବ ସହ ଚିକିତ୍ସା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ପରିପ୍ରେକ୍ଷୀରେ ସେମାନେ ଆନ୍ଦୋଳନରେ ସାମିଲ ହୋଇଥିବା କହିଛନ୍ତି। ଜନତା ନୂଆ ନୂଆ ଢ଼ଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସବୁ ବର୍ଗର ଜନତା ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷଙ୍କ ସମେତ କ୍ଷମତାରେ ଥିବା ତାଙ୍କ ପରିବାରର ସମସ୍ତ ୯ ସଦସ୍ୟଙ୍କ ଇସ୍ତଫା ଦାବି କରୁଥିବାବେଳେ ଗୋଟାବୟ ଏଥିପାଇଁ ମନା କରିଦେଇଛନ୍ତି। ତାଙ୍କର ଘନିଷ୍ଠ ସହଯୋଗୀ ତଥା ଶାସକ ଦଳର ମୁଖ୍ୟ ଛାଟିଆ ରାଷ୍ଟ୍ରପତି ଇସ୍ତଫା ଦେବେ ନାହିଁ ବୋଲି ବୁଧବାର କହିଛନ୍ତି। ମଙ୍ଗଳବାର ୪୨ ସାଂସଦ ଓ ସହଯୋଗୀ ଦଳଙ୍କ ସମର୍ଥନ ପ୍ରତ୍ୟାହାର ପରେ ସରକାର ସଂଖ୍ୟାଲଘୁ ହୋଇଯାଇଛନ୍ତି। ଏହି ୪୨ ସଦସ୍ୟ ଏବେ ସ୍ଵାଧୀନ ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସମଗ୍ର ମନ୍ତ୍ରିମଣ୍ଡଳ ମଧ୍ୟ ଇସ୍ତଫା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆମେରିକୀୟ ଆର୍ଥିକ ତଥା ବ୍ୟାବସାୟିକ ସଂସ୍ଥା ‘ମୁଡିସ୍’ ପକ୍ଷରୁ କୁହାଯାଇଛି ଯେ ସମସ୍ତଙ୍କ ଇସ୍ତଫା ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଏହାଦ୍ୱାରା ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବା ସହ ଆର୍ଥିକ ସଙ୍କଟ ଘନେଇବାର ଆଶଙ୍କା ରହିଛି। ସମସ୍ୟାର ସମାଧାନ ପାଇଁ ରାଜନୈତିକ ଅବସ୍ଥାରେ ସୁଧାର ଅପରିହାର୍ଯ୍ୟ ବୋଲି ଏହା ମତ ଦେଇଛି। ଅନ୍ୟପକ୍ଷରେ ସରକାର ବୃଦ୍ଧି ପାଉଥିବା ବିକ୍ଷୋଭକୁ ଦମନ କରିବା ଉଦ୍ଦେଶ୍ୟରେ ଏପ୍ରିଲ ୧ରେ ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତିକୁ ମଙ୍ଗଳବାର ରାତିରେ ପ୍ରତ୍ୟାହାର କରିନେଇଛନ୍ତି।