ବାରବାଟୀରେ ଭାରତ ର ବିଜୟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ  ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଘରୋଇ ଦଳ ୪ ୱିକେଟ୍‌ରେ ବିଜୟୀ ହୋଇଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ବାରବାଟୀ ଦିନିକିଆ ଜିତିବା ସହିତ ଶୃଙ୍ଖଳାକୁ ଅକ୍ତିଆର କରିଛି। ଭାରତ ଏହି ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି। ଭାରତ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ନାଗପୁରରେ ୪ ୱିକେଟ୍‌ରେ ପରାସ୍ତ କରିଥିଲା। ଚଳିତ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବ।

ବାରବାଟୀରେ ଭାରତକୁ ୩୦୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ରୋହିତଙ୍କ ଟିମ୍ ୪୨.୩ ଓଭରରେ ୬ୱିକେଟ୍ ହରାଇ ୩୦୮ ରନ୍ କରିଛି। ଟସ୍ ଜିଣି ଅତିଥି ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବୋଲିଂ କରିଥଲା। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଥିଲା।

ଭାରତର ଇନିଂସ ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୧୩୬ ରନ୍ ସଂଗ୍ରହ କରିଥିଲେ। ଏଥିରେ ଶୁଭମନ୍‌ଙ୍କ ୬୦ ରନ୍ ସାମିଲ ଥିଲା। ଗିଲ୍ ଆଉଟ୍ ହେବା ପୂର୍ବରୁ ୫୨ଟି ବଲ୍ ଖେଳି ୯ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଗିଲ୍ ଆଉଟ୍ ହେଲା ପରେ ବିରାଟ କୋହଲି ପଡ଼ିଆକୁ ପ୍ରବେଶ କରିଥିଲେ। କିନ୍ତୁ ବିରାଟ ଦର୍ଶକମାନଙ୍କୁ ନିରାଶ କରିଥିଲେ। ସେ ମାତ୍ର ୮ଟି ବଲ୍ ଖେଳି ୫ ରନ୍ ସଂଗ୍ରହ କରି ପାଭିଲଅନ୍କୁ ଫେରି ଯାଇଥିଲେ।