ଦେଶବ୍ୟାପୀ ୮୦୦ଟି ସ୍ଥାନରେ ଆୟୋଜନ କରାଯାଉଛି ଡିଏଲସି 3.0 ଅଭିଯାନ
ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ବା ଚେହେରା ପ୍ରମାଣିକରଣ ପ୍ରଯୁକ୍ତି ମାଧ୍ୟମରେ ପେନସନଭୋଗୀଙ୍କ ନିମନ୍ତେ ଜୀବନ ପ୍ରମାଣପତ୍ର ଦାଖଲକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଚଳିତ ମାସ ଏହି ବିଭାଗ ଦେଶବ୍ୟାପୀ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ (ଡିଏଲସି) ଅଭିଯାନ 3.0 ଆୟୋଜନ କରୁଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଜୀବନପ୍ରମାଣପତ୍ର ଦାଖଲ ଶିବିର ଆୟୋଜନ କରାଯାଉଥିବା ବେଳେ ପେନସନଭୋଗୀମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଧାର ଭିତ୍ତିକ ପ୍ରମାଣୀକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।
ରାଜଧାନୀ ଭୁବନେଶ୍ବରର ବାପୁଜୀ ନଗର, ନୟାପଲ୍ଲୀ, ଜନପଥ, ରାମ ମନ୍ଦିର, ଖଣ୍ଡଗିରି, ଭୌମନଗର ମୁଖ୍ୟ ଡାକ ଘର, ଝାରପଡ଼ା ଆଦି ସ୍ଥାନରେ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଶିବିର ଆୟୋଜନ କରାଯାଇଥିଲା। ପେନସନ ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲଙ୍କ ସମେତ ବ୍ୟାଙ୍କ ଅଫ୍ ବରୋଦା, ଆଇପିପିବି, ୟୁଆଇଡିଏଆଇର ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ପେନସନଭୋଗୀ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇ ପେନସନଭୋଗୀମାନଙ୍କୁ ଡିଏଲସି ପାଇଁ ସହାୟତା କରିଥିଲେ ଏବଂ ଫେସ୍ ଅଥେଟିକେସନ୍ ପଦ୍ଧତି ସମ୍ପର୍କରେ ସଚେତନ କରାଇଥିଲେ। ଏହି ଶିବିରଗୁଡ଼ିକରେ ବ୍ୟାପକ ପ୍ରଚାରପ୍ରସାର ଓ ସଚେତନତା ଉପରେ ଗୁରୁତ୍ବାରୋପ କରାଯାଇଥିଲା।
ପୁରୀ ସହରର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଶିବିର ଆୟୋଜନ କରାଯିବ। ଏହି ଶିବିର ବ୍ୟାଙ୍କ ବରୋଦା ସ୍ବର୍ଗଦ୍ବାର, ପୁରୀ ଶାଖା ଏବଂ ମୁଖ୍ୟ ଡାକ ଘର, କଚେରୀ ଛକ ପୁରୀ ଠାରେ ଆୟୋଜନ କରାଯିବ। ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲ ଶିବିର ପରିଦର୍ଶନ କରି ଡିଜିଟାଲ ମାଧ୍ୟମରେ ଜୀବନପ୍ରମାଣପତ୍ର ଦାଖଲ କରିବାରେ ପେନସନଭୋଗୀଙ୍କୁ ସହାୟତା ଯୋଗାଇ ଦେବେ। ଏହି ଶିବିରଗୁଡ଼ିକରେ ଆବଶ୍ୟକସ୍ଥଳେ, ପେନସନଭୋଗୀମାନଙ୍କୁ ସେମାନଙ୍କର ଆଧାର ରେକର୍ଡ ଅପଡେଟ୍ କରିବା ଏବଂ ଯେକୌଣସି ବୈଷୟିକ ସମସ୍ୟାର ସମାଧାନ କରିବାରେ ୟୁଆଇଡିଏଆଇ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ।