କାଶ୍ମୀରରେ ବିଜେପି ଜିତିଲା କି ହାରିଲା?

ନୂଆଦିଲ୍ଲୀ: ବିଜେପି ନେତା କହୁଛନ୍ତି କାଶ୍ମୀରରେ ସେମାନେ ଜିତିଛନ୍ତି । କାରଣ ସେମାନେ ସବୁଠୁ ଅଧିକ ପ୍ରତିଶତ ଭୋଟ ପାଇଛନ୍ତି । ଗତ ନିର୍ବାଚନଠୁ ଅଧିକ ଆସନ ପାଇଛନ୍ତି । କାଶ୍ମୀରବାସୀ ବିଜେପିକୁ ଭୋଟ ଦେଇନାହାଁନ୍ତି ସତ କିନ୍ତୁ ସେମାନେ ସୁରକ୍ଷାକୁ ନେଇ ବିଜେପିକୁ ପ୍ରଶଂସା କରିଛନ୍ତି । କାଶ୍ମୀର ମୁସଲିମ ସମାଜ ପୂର୍ବଭଳି ଏଥର ବିଜେପିକୁ ହରାଇବାକୁ ଭୋଟ ଦେଇଥିଲେ ।

ଜମ୍ମୁକାଶ୍ମୀର ନିର୍ବାଚନକୁ ଦେଖିଲେ 10 ବର୍ଷ ପରେ ଜମ୍ମୁ-କଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି 29ଟି ଆସନ ପାଇଛି । ଦଶ ବର୍ଷ ତଳେ ବିଜେପି 25ଟି ଆସନ ପାଇଥିଲା ।

2014ରେ ଫଳାଫଳ ଝୁଲା ବିଧାନସଭା ଆଡ଼କୁ ଢ଼ଳିଥିଲା ।  2014ରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନରେ  87ଟି ଆସନରୁ ପିଡିପି 28ଟି, ବିଜେପି 25ଟି, ନ୍ୟାସନାଲ କନଫରେନ୍ସ 15ଟି ଏବଂ କଂଗ୍ରେସ 12ଟି ଆସନରେ ବିଜୟୀ ହୋଇଥିଲେ। ବିଜେପି ଏବଂ ପିଡିପି ମିଳିତ ଭାବେ ସରକାର ଗଠନ କରିଥିଲେ ଏବଂ ମୁଫତି ମହମ୍ମଦ ସୟିଦ ମୁଖ୍ୟମନ୍ତ୍ରୀ ହୋଇଥିଲେ। 2016 ଜାନୁଆରିରେ ମୁଫତି ମହମ୍ମଦ ସୟିଦଙ୍କ ମୃତ୍ୟୁ ହୋଇଥିଲା। ପାଖାପାଖି 4 ମାସ ଧରି ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ପରେ ତାଙ୍କ ଝିଅ ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହି ମେଣ୍ଟ ଅଧିକ ଦିନ ଚାଲି ନ ଥିଲା। 19 ଜୁନ୍ 2018ରେ ବିଜେପି ପିଡିପି ସହ ମେଣ୍ଟ ଭାଙ୍ଗିଥିଲା ଏବଂ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ତାପରେ ବିଜେପି ନୂଆ କାଶ୍ମୀର ସ୍ଲୋଗାନ ଦେଇ ଅନେକ ପରିବର୍ତ୍ତନ କରିଛି । ଧାରା 370 ଉଠିବା ପରେ କାଶ୍ମୀର ବଦଳିଛି ।