କେଉଁ କାରଣ ପାଇଁ ତୃତୀୟ ଥର ଜିତିଲା ବିଜେପି ?

ହରିୟାଣାରେ କାହିଁକି ଜିତିଲା ବିଜେପି? ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ ସମସ୍ତଙ୍କୁ ବିସ୍ମିତ କରିଛି । ହିନ୍ଦୀ ବେଲ୍ଟରେ ପୁଣି ଥରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତେବେ କଂଗ୍ରେସ କାହିଁକି ଜିତୁ ଜିତୁ ହାରିଗଲା ତାହା ଉପରେ ଚର୍ଚା ଚାଲିଛି

ମୋଦିଙ୍କ ଲୋକପ୍ରିୟତା ଓ ହିନ୍ଦୁ ଭୋଟର

ହରିୟାଣାରେ ଏବେ ବି ମୋଦିଙ୍କ ଲୋକପ୍ରିୟତା ରହିଛି । କଂଗ୍ରେସ ଅପେକ୍ଷା ଏଠାରେ ଅଧିକ ଲୋକ ମୋଦିଙ୍କୁ ପସନ୍ଦ କରନ୍ତି ।  କୁହାଯାଉଥିଲା ହରିୟାଣାରେ ହିନ୍ଦୁ ଭୋଟ ଭାଗ ଭାଗ ହେବ । ଚାଷୀମାନେ କଂଗ୍ରେସକୁ ଭୋଟ ଦେବେ ଜାଟ ମାନେ କଂଗ୍ରେସ କୁ ଭୋଟ ଦେବେ କିନ୍ତୁ ତାହା ଘଟିଲା ନାହିଁ । ସରକାରଙ୍କ ଯୋଜନା ମୋଦିଙ୍କ ଉପରେ ଭରସା ପାଇଁ ବିଜେପିକୁ ଭୋଟର ତୃତୀୟ ଥର ପାଇଁ ଭୋଟ ଦେଲେ ।

ଜାଟ୍ ଭୋଟ

ହରିୟାଣାରେ ବିଜୟ ପାଇଁ ଜାଟ ଭୋଟ ଜରୁରୀ । ଏଥର ଜାଟ ପଂଚାୟତ କଂଗ୍ରେସକୁ ଭୋଟ ଦେବାକୁ ଘୋଷଣା କରିଥିଲା । ତଥାପି ଜାଟମାନେ ବିଜେପି ସହ ରହିଲେ । ପଂଚାୟତର ନିଷ୍ପତ୍ତି ଭୋଟରେ ବିଭାଜିତ ହେଲାନାହିଁ । ବିଜେପିର ଏହି ଚମକପ୍ରଦ ବିଜୟ ପଛରେ ରହିଛି ଜାଟ୍ ଫ୍ୟାକ୍ଟର । କଂଗ୍ରେସ ଜାଟଙ୍କୁ ନେଇ ବହୁ ପ୍ରଚାର କରୁଥିଲା ।  କୁହାଯାଉଥିଲା ଜାଟ୍ ସମୁଦାୟ କଂଗ୍ରେସ ସହ ରହିଛନ୍ତି । ଏପରିକି ଲୋକସଭା ନିର୍ବାଚନ ବେଳେ ଅଧିକାଂଶ ଜାଟ୍ ଭୋଟ କଂଗ୍ରେସ ସପକ୍ଷରେ ଯାଇଥିଲା । ହେଲେ ବିଧାନସଭା ନିର୍ବାଚନ ବେଳେ ପୁରା ଓଲଟା ହୋଇଛି । ଜାଟ୍ ସମୁଦାୟ କଂଗ୍ରେସ ବଦଳରେ  ବିଜେପି ସହ ରହିଛନ୍ତି । ଜାଟ୍ ବହୁଳ  ୩୬ଟି ଆସନ ମଧ୍ୟରୁ ୧୯ଟିରେ ବିଜେପି ସପକ୍ଷରେ ଯାଇଛି। ପୂର୍ବତନ ସହଯୋଗୀ ତଥା ଜେଜେପି ପାର୍ଟି ନେତା ଦୁଷ୍ୟନ୍ତ ଚୌତାଲାଙ୍କଠାରୁ ଅଲଗା ହେବା ଦ୍ବାରା ଏଥର ବିଜେପିକୁ ଫାଇଦା ମିଳିଛି ।

ସରକାରୀ ଯୋଜନାର ଲାଭ

ଏଥର ଭୋଟରମାନେ ମୋଦିଙ୍କ ଯୋଜନାକୁ ପସନ୍ଦ କରିଛନ୍ତି । କଂଗ୍ରେସର ମାଗଣା ଯୋଜନାକୁ ଭୋଟରମାନେ ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସ ଅନେକ ଲୋଭନୀୟ ଅଫର ଦେଇଥିଲା । କିନ୍ତୁ ହରିୟାଣା ଭୋଟର ଏହାକୁ ଖାତିର ନକରି ବିଜେପିକୁ ଭୋଟ ଦେଇଥିଲେ ।

 

ସହରାଞ୍ଚଳ ଭୋଟର

ସହରୀ ଭୋଟର ଏବେ ବି ବିଜେପି ସହ ରହିଛନ୍ତି । ସହର ଭିତ୍ତିକ ଆସନଗୁଡିକରେ ବିଜେପି ବିଜୟ ଲାଭ କରିଛି । କୁହାଯାଉଥିଲା ସହର ଭୋଟ କଂଗ୍ରେସକୁ ଯିବ  । କିନ୍ତୁ ଦାହା ହୋଇନାହିଁ ।

କୃଷକ ଆନ୍ଦୋଳନ

ହରିୟାଣାରେ ଆନ୍ଦୋଳନକୁ ଚାଷୀମାନେ ପସନ୍ଦ କରୁନଥିଲେ । ବିନା କାରଣରେ ତାଙ୍କର ବେପାର ମାନ୍ଦା ଚାଲିଥିଲା ।  ଚାଷୀମାନେ ଏଥର ଖୋଲାଖୋଲି କଂଗ୍ରେସ ସହ ଥିବା ପ୍ରଚାର ହେଉଥିଲା  । ଅନେକ ଚାଷୀ ସଂଗଠନ ବିଜେପିକୁ ବିଦା କରିବାକୁ ଦିନ ରାତି ରଣନୀତି କରୁଥିଲେ  । କିନ୍ତୁ ତାହା ଭୋଟରେ ବିଭାଜନ ହୋଇପାରିଲା ନାହିଁ । ଚାଷୀ ସଂଗଠନ କଂଗ୍ରେସକୁ ଭୋଟ ଦେବାକୁ ଘୋଷଣା କରିଥିବା ବେଳେ ଚାଷୀମାନେ ବିଜେପିକୁ ଭୋଟ ଦେଇଥିଲେ ।

 

ଅହିରୱାଲ ଅଞ୍ଚଳରେ ବିଜେପିର ଦବଦବା

ଦକ୍ଷିଣ ହରିୟାଣାର ଅହିରୱାଲ ଅଞ୍ଚଳରେ କୁହାଯାଉଥିଲା ଏଥର କଂଗ୍ରେସକୁ ଭୋଟ ଯିବ । କିନ୍ତୁ ବିଜେପିର ଦବଦବା ଏବେ ବି କାଏମ ରହିଛି । ଏହି ଅଞ୍ଚଳରୁ ମିଳିଥିବା ଆସନ ଯୋଗୁଁ ବିଜେପି ୨୦୧୪, ୨୦୧୯ରେ ସରକାର ଗଠନ  କରିବାରେ ସକ୍ଷମ ହୋଇଥିଲା । ଏଥର ମଧ୍ୟ ଅହିରୱାଲ ଅଞ୍ଚଳରେ ଥିବା ୧୧ଟି ଆସନରେ ବିଜେପି କ୍ଲିନ୍ ସୁଇପ୍ କରିଛି । କଂଗ୍ରେସର ମିଛ ପ୍ରଚାରକୁ ଭୋଟରମାନେ ଗ୍ରହଣ କରିନାହାଁନ୍ତି । ଏପରିକି ହରିୟାଣାର ସାଇବର ହବ୍ ଭାବେ ପରିଚିତ ଗୁରୁଗ୍ରାମରେ ମଧ୍ୟ  ବିଜେପି ବିଜୟୀ ହୋଇଛି ।

 

ନାୟବ ସିଂ ସୈନୀଙ୍କ ନେତୃତ୍ବ

ବିଜେପି ମନୋହର ଲାଲ ଖଟ୍ଟରଙ୍କୁ ପରିବର୍ତ୍ତନ କରି ବଡ଼ ଖେଳ ଖେଳିଥିଲା ।  ନିର୍ବାଚନର ଠିକ୍ ବର୍ଷେ ପୂର୍ବରୁ ମୁଖ୍ୟମନ୍ତ୍ରୀ ହୋଇଥିବା ନାୟବ ସିଂ ସୈନୀଙ୍କ ନେତୃତ୍ବ ଯୋଗୁଁ ବିଜେପିକୁ ସଫଳତା ମିଳିଛି । ବିଜେପି ସୈନୀଙ୍କୁ ନିଜର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପିତ କରିଥିଲା । ଆଉ ଏହାର ଫାଇଦା ଦଳକୁ ମିଳିଛି ।

 

କଂଗ୍ରେସରେ ଗୋଷ୍ଠୀବିବାଦ

ହରିୟାଣାରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା କଂଗ୍ରେସ ସ୍ଥିର କରିପାରିନଥିଲା । ଦଳ ଅନେକ ଗୋଷ୍ଠୀରେ ବିଭକ୍ତ ହୋଇଥିଲା ।  କଂଗ୍ରେସରେ ଗୋଷ୍ଠୀବିବାଦ ତଥା ନେତୃତ୍ବ ନେବାର ଲଢେଇ ଯୋଗୁ ନିର୍ବାଚନ ବେଳେ କଂଗ୍ରେସ ଶିବିର ବହୁ ଗୋଷ୍ଠୀରେ ବିଭକ୍ତ ହୋଇଥିଲା ।  ଭୂପିନ୍ଦର ସିଂ ହୁଡା, କୁମାରୀ ଶୈଲଜା, ରଣଦୀପ ସୂର୍ଜେୱାଲା ଏବଂ ଭୂପିନ୍ଦରଙ୍କ ପୁଅ ଦୀପେନ୍ଦର ହୁଡା,  ସମସ୍ତେ ନିଜକୁ କଂଗ୍ରେସର ପ୍ରମୁଖ ଚେହେରା ଭାବେ ଉପସ୍ଥାପିତ କରୁଥିଲେ । ତେଣୁ ଲୋକମାନେ କଂଗ୍ରେସକୁ ଗ୍ରହଣ କରିଲେ ନାହିଁ ।