ବାୟୁସେନାର ଏୟାର ଶୋ’ ରେ ଅଘଟଣ

ଚେନ୍ନାଇର ମାରିନା ବିଚରେ ଏୟାର ସୋ ଦେଖିବା ପାଇଁ ଯାଇଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରମାନେ କହିଛନ୍ତି ଯେ, ହିଟ୍ ଷ୍ଟ୍ରୋକ ଏମାନଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ପ୍ରାୟ ୨୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ନାମ ପେରୁଙ୍ଗାଲାଥୁର ଶ୍ରୀନିବାସନ୍ (୪୮), ତିରୁଭୋଟିୟୁର କାର୍ତ୍ତିକେୟାନ୍ (୩୪) ଏବଂ କୋରୁକୁପେଟର ଜନ୍ (୫୬) ବୋଲି ଜଣାପଡିଛି।କୁହାଯାଉଛି ଯେ, ଟ୍ରାଫିକ ଅଧିକାରୀଙ୍କ ଖରାପ ଯୋଜନା କାରଣରୁ ଚେନ୍ନାଇରେ ଲକ୍ଷାଧିକ ଲୋକେ ଫସି ରହିଥିଲେ। ସହରର ଅନେକ ସ୍ଥାନରେ ଏପରି ଘଟଣା ସାମ୍ନାକୁ ଆସିଥିଲା। ଯେଉଁଠି ଲୋକେ ଘଣ୍ଟା ଫସି ରହିଥିଲେ। ଅନ୍ୟପଟେ ଯେଉଁଠି କାର୍ଯ୍ୟକ୍ରମ ହେଉଥିଲା, ଅର୍ଥାତ ମାରିନା ବେଳାଭୂମିରେ ଏକତ୍ରିତ ଲୋକେ କାର୍ଯ୍ୟକ୍ରମ ପରେ ସେଠାରୁ ଫେରିବା ପାଇଁ ବହୁତ ସଂଘର୍ଷ କରିଥିଲେ।ସୂଚନା ଅନୁଯାୟୀ, ୧୬ ଲକ୍ଷ ଲୋକଙ୍କୁ ଏକାଠି କରି ଲିମକା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାମ ପଞ୍ଜୀକରଣ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଏୟାର ଶୋ’ ସକାଳ ୧୧ ଟାରୁ ଆରମ୍ଭ ହୋଇ ଦିନ ୧ ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଯେଉଁଥି ପାଇଁ ସକାଳ ୮   ଟା ସୁଦ୍ଧା ହଜାର ହଜାର ଲୋକ ଉଜ୍ଜଳ ସୂର୍ଯ୍ୟ ତଳେ ଏକାଠି ହୋଇଥିଲେ।