ନବରଙ୍ଗପୁର ପରେ ମାଲକାନଗିରି ଜିଲ୍ଲାରେ ତେଜିଲା ଜିଲ୍ଲାଭିତ୍ତିକ ନିଯୁକ୍ତି
ଆମ ଜିଲ୍ଲାରେ ଆମ ପିଲାଙ୍କୁ ନିଯୁକ୍ତି ମିଳୁ । ବାହାର ପିଲାଙ୍କୁ ଏଠାରେ କାମ କରିବାକୁ ବିରୋଧ କରିବୁ । ଏପରି କହିଛନ୍ତି ନବରଙ୍ଗପୁର ପରେ ମାଲକାନଗିରି ଜିଲ୍ଲା ସ୍ଥାନୀୟ ରାଜନେତା, ସଂଗଠନ । କିଛି ଦିନର ନିରବତା ପରେ ତେଜିଲା ଜିଲ୍ଲାଭିତ୍ତିକ ନିଯୁକ୍ତି। ଜିଲ୍ଲାର ଜନପ୍ରତିନିଧିଙ୍କ ପ୍ରବଳ ବିରୋଧ ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି। ଯାହାଫଳରେ ଚୁକ୍ତିପତ୍ର ଦେବାକୁ ଆସିଥିବା ଶହେରୁ ଅଧିକ ପ୍ରାର୍ଥୀ ନିରାଶ ହୋଇ ଫେରିଛନ୍ତି।
ମାଲକାନଗିରି ଜିଲ୍ଲାରେ ୫୫୫ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ପଦବି ପୂରଣ ନିମନ୍ତେ ଆଜିଠାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମ ଦିନ ୩୯୦ଜଣ ପ୍ରାର୍ଥୀ ଚୁକ୍ତିପତ୍ର ଦାଖଲ କରିବାକୁ ଡାକରା ପାଇଥିଲେ। ଏଥିପାଇଁ ମାଲକାନଗିରି ସଦର ବୁଟିଗୁଡ଼ା ବିଦ୍ୟାଳୟରେ ଚୁକ୍ତିପତ୍ର ସଂଗ୍ରହ କରାଯାଉଥିଲା। ତେଣୁ ରାଜ୍ୟର ବିଭିନ୍ନ କୋଣରୁ ପ୍ରାର୍ଥୀ ଚୁକ୍ତିପତ୍ର ଦେବାକୁ ଆସିଥିଲେ। ଏହି ଖବର ପାଇବା ପରେ ଜିଲ୍ଲାର ବହୁ ସରପଞ୍ଚ, ସମିତିସଭ୍ୟଙ୍କ ସହ ବିଭିନ୍ନ ସଂଗଠନର ନେତା ପହଞ୍ଚି ହୋହଲ୍ଲା ଆରମ୍ଭ କରିଥିଲେ।