ଲେବାନନ୍‌କୁ ଆକ୍ତାମାକ୍ତା କଲାଣି ଇସ୍ରାଏଲ୍‌

ସୋମବାର, ଦକ୍ଷିଣ ଲେବାନନ୍‌ର ୩ଶହରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ଇସ୍ରାଏଲ୍‌ ଯୁଦ୍ଧବିମାନ ଆକ୍ରମଣ କରିଛି।  ଏଥିରେ ଅତିକମ୍‌ରେ ୨୭୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦୦୦ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨୧ ଶିଶୁ ଓ ୩୧ ମହିଳା ଅଛନ୍ତି। ଗତବର୍ଷ ଇସ୍ରାଏଲ-ହମାସ ଲଢ଼େଇ ଆରମ୍ଭ ‌ହେବା ଦିନଠାରୁ ଲେବାନନରେ ଅବସ୍ଥିତ ହେଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଉପରେ ସବୁଠୁ ଭୟଙ୍କର ଆକ୍ରମଣ।ଇସ୍ରାଏଲ୍‌ ଆକ୍ରମଣ, ମୃତାହତ ଓ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ଲେବାନନ୍‌ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଆଜି ପୂର୍ବାହ୍‌ଣ ଠାରୁ ଦକ୍ଷିଣ ଲେବାନନ୍‌ର ସହର ଓ ଗାଁଗୁଡ଼ିକରେ ଶତ୍ରୁପକ୍ଷର ଆକ୍ରମଣ ଜାରି ରହିଛି। ଅପରପକ୍ଷରେ, ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)ର ମୁଖପାତ୍ର ଡାନିଏଲ୍‌ ହାଗାରି କହିଛନ୍ତି, ଲେବାନନ୍‌ର ବେକା ଉପତ୍ୟକା ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ୍‌ର ଯୁଦ୍ଧବିମାନ ପ୍ରସ୍ତୁତ ଅଛନ୍ତି।