ବିକାଶ ପାଇଁ ଏକାଠି ହେଲେ ୧୫ ରାଜ୍ୟ

ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ସହଯୋଗରେ ଲୋକସେବା ଭବନ କନ୍‌ଭେନସନ ସେଣ୍ଟରରେ ଦୁଇଦିନିଆ ‘ମୌସୁମୀ ବୈଠକ’ ଆରମ୍ଭ ହୋଇଛି। ଦୁଗ୍ଧ ଉତ୍ପାଦନ ଓ ପ୍ରାଣୀ ସଂପଦର ବିକାଶ ପାଇଁ ଏହି ବୈଠକରେ ଦେଶର ୧୫ଟି ରାଜ୍ୟ ଏକାଠି ହୋଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, କୃଷି କ୍ଷେତ୍ରର ଅଭିବୃଦ୍ଧିରେ ପଶୁପାଳନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୃଷକ, ବେରୋଜଗାର ଯୁବଗୋଷ୍ଠୀଙ୍କୁ ଜୀବିକା ପ୍ରଦାନ, ମହିଳା ଗୋଷ୍ଠୀଙ୍କୁ ସଶକ୍ତ ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ଧ୍ୟାନ ଦେଉଛନ୍ତି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଆଗାମୀ ୫ ବର୍ଷ ପାଇଁ ୧୪୨୩.୪୭ କୋଟି ଟଙ୍କା ବ୍ୟୟରେ ନୂଆ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଯୋଜନା ପ୍ରଣୟନ କରାଯାଇଛି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଦୁଗ୍ଧ ସମବାୟ ସଂସ୍ଥାଗୁଡିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଡାଏରି ବିକାଶ ବୋର୍ଡ(ଏନ୍‌ଡିଡିବି) ସହିତ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏନ୍‌ଡିଡିବି ସହଯୋଗରେ ରାଜ୍ୟ ସରକାର ବ୍ରହ୍ମପୁରଠାରେ ଏକ ଟିକା ଉତ୍ପାଦନ କେନ୍ଦ୍ର ଓ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଗୋଖାଦ୍ୟ ବିଶ୍ଳେଷଣ କେନ୍ଦ୍ର ସ୍ଥାପନ କରିବେ। ରାଜ୍ୟରେ ଛେଳି, ମେଣ୍ଢା ଓ କୁକୁଡ଼ା ପାଳନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ‘ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା’ ଆରମ୍ଭ କରାଯିବ। ବୁଲା ଓ ଅବହେଳିତ ପ୍ରାଣୀ ସମ୍ପଦର ଯତ୍ନ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା’ ଆରମ୍ଭ କରାଯାଇଛି। ‘ବିକଶିତ ଓଡ଼ିଶା ୨୦୩୬’କୁ ନଜରରେ ରଖି ରାଜ୍ୟ ସରକାର କୃଷକଙ୍କ ଦ୍ୱାର ଦେଶରେ ୨୪ ଘଣ୍ଟିଆ ପ୍ରାଣୀ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରିବା ଉଦ୍ଦେଶ୍ୟରେ ଏକ ସମନ୍ୱିତ କେନ୍ଦ୍ର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଥିବା ମୁଖ୍ୟମନ୍ତ୍ରୀ କହିଥିଲେ।