କାର୍ଗିଲ ଯୁଦ୍ଧ ପାକ୍ ସେନାର ବଡ଼ ବୟାନ
୧୯୯୯ରେ ଭାରତ ବିରୋଧରେ ହୋଇଥିବା କାର୍ଗିଲ ଯୁଦ୍ଧରେ ପାକିସ୍ତାନୀ ସେନା ନିଜର ସମ୍ପୃକ୍ତିକୁ ପ୍ରଥମ ଥର ପାଇଁ ସର୍ବସାଧାରଣରେ ସ୍ୱୀକାର କରିଛି । ରାୱଲପିଣ୍ଡିରେ ଦେଶର ପ୍ରତିରକ୍ଷା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର କହିଛନ୍ତି ଯେ ୧୯୬୫, ୧୯୭୧ ଏବଂ କାର୍ଗିଲରେ ୧୯୯୯ରେ ହୋଇଥିବା ଯୁଦ୍ଧରେ ପାକ୍ ସେନାର ଅନେକ ଯବାନ ସହିଦ ହୋଇଥିଲେ। ୧୯୪୮, ୧୯୬୫, ୧୯୭୧ ହେଉ କିମ୍ବା ୧୯୯୯ କାର୍ଗିଲ ଯୁଦ୍ଧ ହେଉ ହଜାର ହଜାର ସୈନିକ ପାକିସ୍ତାନ ଓ ଇସଲାମ ପାଇଁ ପ୍ରାଣବଳି ଦେଇଛନ୍ତି ବୋଲି ସେନା ମୁଖ୍ୟଙ୍କ ବୟାନ ଏବେ ଚର୍ଚ୍ଚାରେ ରହିଛି। ସୂଚନାଯୋଗ୍ୟ, କାର୍ଗିଲ ଯୁଦ୍ଧରେ ନିଜର ପ୍ରତ୍ୟକ୍ଷ ଭୂମିକାକୁ ପାକିସ୍ତାନୀ ସେନା କେବେ ବି ସାର୍ବଜନୀନ ଭାବେ ସ୍ୱୀକାର କରିନଥିଲା ଏବଂ ଆନୁଷ୍ଠାନିକ ଭାବରେ ଦାବି କରିଥିଲା ଯେ ଏହା ‘ମୁଜାହିଦ୍ଦିନ ବା ସ୍ୱାଧୀନତା ସଂଗ୍ରାମୀ’ଙ୍କ କାମ। ଏବେ ପାକ୍ ସେନା ମୁଖ୍ୟ ସେନାର ସଂପୃକ୍ତିକୁ ସ୍ବୀକାର କରି ଭାରତର ଦାବିକୁ ଯଥାର୍ଥ ପ୍ରମାଣିତ କରିଛନ୍ତି।ଲଦାଖରେ ପାଖାପାଖି ୩ ମାସର ଲଢ଼େଇ ପରେ ଟାଇଗର ହିଲ୍ ସମେତ ଅନୁପ୍ରବେଶକାରୀଙ୍କ କବ୍ଜାରେ ଥିବା ଅନ୍ୟ ସ୍ଥାନଗୁଡ଼ିକୁ ଭାରତୀୟ ସୈନିକମାନେ ସଫଳତାର ସହ ନିଜ ନିୟନ୍ତ୍ରଣକୁ ନେଇଥିଲେ। କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଵାଜ ସରିଫଙ୍କୁ କାର୍ଗିଲ ସେକ୍ଟରରୁ ସେନା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେବାକୁ କହିଥିଲେ। ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ସହ ଲଢ଼େଇ କରି ସମୁଦାୟ ୫୪୫ ଜଣ ଯବାନ ସହିଦ ହୋଇଥିଲେ। କାର୍ଗିଲରେ ନିହତ ହୋଇଥିବା ପାକ୍ ସୈନିକଙ୍କ ମୃତଦେହକୁ ଗ୍ରହଣ କରିବାକୁ ପାକିସ୍ତାନ ସେନା ମନା କରିଦେଇଥିଲା। ତେବେ ପାକିସ୍ତାନୀ ଅଧିକାରୀଙ୍କ ମୃତଦେହକୁ ପାକ୍ କର୍ତ୍ତୃପକ୍ଷ ଗୁପ୍ତରେ ଭାରତକୁ ମାଗିଥିଲେ।