୧୨ ନୂଆ ଶିଳ୍ପ ସ୍ମାର୍ଟ ସହର

ଦେଶର ୧୦ଟି ସହରରେ ୧୨ଟି ଶିଳ୍ପ ସ୍ମାର୍ଟ ସହର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟିରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଛଅଟି ପ୍ରମୁଖ ଶିଳ୍ପ କରିଡର୍‌ ମଧ୍ୟ ଦେଇ ଏହି ସହରଗୁଡ଼ିକୁ ବିକାଶ କରାଯିବ। ମାନୁଫାକ୍‌ଚରିଂକୁ ବଢ଼ାଇବା ଲାଗି ଏହି ପ୍ରକଳ୍ପରେ ୨୮,୬୦୨ କୋଟି ଟଙ୍କା ବିନିଯୋଗ କରାଯିବ। ଏହି ପ୍ରକଳ୍ପ ଦ୍ବାରା ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଉତ୍ତରଖଣ୍ଡ, ପଞ୍ଜାବ, କେରଳ, ଉତ୍ତରପ୍ରଦେଶ, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବେ। ମୋଦୀ ସରକାରଙ୍କ ତୃତୀୟ ପାଳିର ଦୁଇ ପ୍ରମୁଖ ସହଯୋଗୀ ଥିବା ଜେଡି (ୟୁ) ପାଇଁ ବିହାର ଓ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପାଇଁ ଆନ୍ଧ୍ରପ୍ରଦେଶକୁ ଏହି ପ୍ରକଳ୍ପରେ ସ୍ଥାନ ମିଳିଛି ବୋଲି ଚର୍ଚ୍ଚା ହେଉଛି।