ହିଣ୍ଡେନ୍‌ବର୍ଗ ଉପରେ ବର୍ଷିଲେ ମାଧବୀ

ଆମେରିକାର ସର୍ଟ-ସେଲିଂ ସଂସ୍ଥା ହିଣ୍ଡେନ୍‌ବର୍ଗ ଉପରେ ବର୍ଷିଛନ୍ତି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍‌। ରିପୋର୍ଟ ଜାରି ହେବାର ୧୫ ଘଣ୍ଟା ପରେ ସେ ନିଜ ସ୍ବାମୀ ଧବଲ୍ ବୁଚ୍‌ଙ୍କ ସହ ମିଳିତ ଭାବେ ଦୁଇ ପୃଷ୍ଠାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମାଧବୀ କହିଛନ୍ତି ଯେ ଭାରତରେ ଏକାଧିକ ନିୟମ ଉଲ୍ଲଂଘନ କରିଥିବାରୁ ହିଣ୍ଡେନବର୍ଗକୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିଲା। ତାହାର ଉତ୍ତର ଦେବା ବଦଳରେ ଏହା ସେବିର ବିଶ୍ବସନୀୟତା ପ୍ରତି ପ୍ରଶ୍ନ ଉଠାଇବା ଓ ତାହାର ମୁଖ୍ୟଙ୍କ ଚରିତ୍ର ସଂହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବୁଚ୍‌ ଦମ୍ପତି କହିଛନ୍ତି ଯେ ଆମ ଜୀବନ ଓ ଫାଇନାନ୍ସ ଏକ ଖୋଲା ବହି। ଇତି ମଧ୍ୟରେ ସେବି ଏହାର ମୁଖ୍ୟ ମାଧବୀଙ୍କ ସପକ୍ଷରେ ବାହାରିଛି। ନିବେଶକମାନଙ୍କୁ ଶାନ୍ତ ରହିବାକୁ ଏହା ଆହ୍ବାନ ଦେଇଥିବା ବେଳେ କୌଣସି ଖବର ଉପରେ ପ୍ରକ୍ରିୟା ପ୍ରକାଶ କରିବା ପୂର୍ବରୁ ଯଥାର୍ଥ ଆକଳନ କରିବାକୁ ଅନୁରୋଧ କରିଛି। ସେବି କହିଛି ଯେ ଆଦାନି ଗ୍ରୁପ୍ ବିରୋଧରେ ସେବି କରୁଥିବା ୨୪ଟି ବିଷୟ ତଦନ୍ତରୁ ୨୩ଟି ଶେଷ ହୋଇଛି। କେବଳ ଗୋଟିଏ ବିଷୟରେ ତଦନ୍ତ ବାକି ରହିଛି। ଯେଉଁ ବିଷୟ ତଦନ୍ତ ବେ‌ଳେ ଦ୍ବେତ ସ୍ବାର୍ଥ ସମସ୍ୟା ଦେଖାଦେଉଥିଲା, ସେଥିରୁ ଶ୍ରୀମତୀ ବୁଚ୍‌ ନିଜ ଆଡ଼ୁ ଓହରିଯାଉଥିଲେ ବୋଲି ସେବି କହିଛି।