ରୁଷ୍‌-ୟୁକ୍ରେନ ଯୁଦ୍ଧ ଏବେ ଆଫ୍ରିକାକୁ ବ୍ୟାପିଲା

ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆଉ ୟୁରୋପ ଭିତରେ ସୀମିତ ନାହିଁ। ସୁଦୂର ଆଫ୍ରିକାକୁ ବ୍ୟାପିଲାଣି ଏହାର ତାତି। ଆଫ୍ରିକାର ଉତ୍ତର ମାଲିରେ ବିଦ୍ରୋହୀ ସେନା ୫୦ ଜଣ ରୁଷୀୟ ଭଡ଼ାସୈନିକଙ୍କୁ ହତ୍ୟା କରିଛନ୍ତି। ତେବେ ରୁଷର ଜଣେ ପୂର୍ବତନ କମାଣ୍ଡର କହିଛନ୍ତି ଯେ ଅତି କମ୍‌ରେ ୮୦ ଜଣ ଲୋକ ନିହତ ହୋଇଥିବା ବେଳେ ୧୫ ଜଣଙ୍କୁ ବନ୍ଧକ ରଖାଯାଇଛି। ପଶ୍ଚିମ ଆଫ୍ରିକାରେ ମାଲି ସରକାରଙ୍କୁ ସାହାଯ୍ୟ କରିବା ପାଇଁ ରୁଷ୍‌ର ଏହି ପାରାମିଲିଟାରି ସୈନିକମାନେ ନିୟୋଜିତ ହୋଇଥିଲେ। ମିଳିଥିବା ଖବର ଅନୁଯାୟୀ, ୟୁକ୍ରେନ୍ ପକ୍ଷରୁ ମାଲି ବିଦ୍ରୋହୀ ଗୋଷ୍ଠୀକୁ ରୁଷୀୟ ଭଡ଼ାସୈନିକଙ୍କ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଋଷ୍-ୟୁକ୍ରେନ୍ ବାହାରେ ୱାଗନର ଗ୍ରୁପର ୫୦ ରୁଷୀୟଙ୍କ ହତ୍ୟା ସାମ୍ପ୍ରତିକ ସମୟରେ ସର୍ବାଧିକ। କେବଳ ସେତିକି ନୁହେଁ, ବିଦ୍ରୋହୀମାନେ ଧରାପଡ଼ିଥିବା ୧୫ ଜଣ ରୁଷୀୟଙ୍କୁ ୟୁକ୍ରେନକୁ ହସ୍ତାନ୍ତର କରିବାକୁ ଯୋଜନା କରୁଛନ୍ତି।