ଋଣ ଭାରରେ ଆମେରିକା

ବିଶ୍ୱର ବୃହତ୍ତମ ତଥା ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶ ଆମେରିକାର ଋଣ ଭାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ସରକାରଙ୍କ ଋଣ ବର୍ତ୍ତମାନ ୩୫ ଟ୍ରିଲିୟନ ଡଲାରରୁ ମାତ୍ର ୨.୫ ବିଲିୟନ ଡଲାର ଦୂରରେ। ୨୦୧୯ ପରେ ଏଥିରେ ୧୩ ଟ୍ରିଲିୟନ ଡଲାର ବୃଦ୍ଧି ଘଟିଛି, ଯାହା ଭାରତୀୟ ଅର୍ଥନୀତିର ପ୍ରାୟ ତିନି ଗୁଣ। ଦେଶର ଋଣ ତୁଳନାରେ ଜିଡିପିର ଅନୁପାତ ୧୨୨ ପ୍ରତିଶତରେ ପହଞ୍ଚିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା ୧୯ ପ୍ରତିଶତ ବୃଦ୍ଧି ପାଇଛି। ଆମେରିକା ଇତିହାସରେ ସରକାରଙ୍କ ଋଣରେ ଏତେ ଦ୍ରୁତ ବୃଦ୍ଧି ପୂର୍ବରୁ କେବେ ଦେଖାଯାଇ ନଥିଲା। ପରିସ୍ଥିତି ଏପରି ହୋଇଛି ଯେ ଏହି ଋଣର ସୁଧ ପରିଶୋଧ କରିବାକୁ ଆମେରିକାକୁ ଅନ୍ୟ ଖର୍ଚ୍ଚ କାଟ୍‌ କରିବାକୁ ପଡ଼ୁଛି।

ଆମେରିକାର ଋଣ ପ୍ରତି ତିନିମାସରେ ପ୍ରାୟ ଏକ ଟ୍ରିଲିୟନ ଡଲାର ବୃଦ୍ଧି ପାଉଛି। ଚଳିତ ବର୍ଷ ଜାନୁଆରୀ ୪ରେ ଏହା ୩୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଏହାପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ୧୫ରେ ଏହା ୩୩ ଟ୍ରିଲିୟନ ଡଲାର ଏବଂ ଜୁନ୍ ୧୫ରେ ୩୨ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା। ଏହାକୁ ୩୧ ଟ୍ରିଲିୟନ ଡଲାରରୁ ୩୨ ଟ୍ରିଲିୟନ ଡଲାରରେ ପହଞ୍ଚିବାକୁ ଆଠ ମାସ ସମୟ ଲାଗିଥିଲା। ଆମେରିକାର ଋଣ ହେଉଛି ଆମେରିକାର ସଂଘୀୟ ସରକାର ନିଜ ଖର୍ଚ୍ଚ ବହନ କରିବା ପାଇଁ ନେଉଥିବା କରଜ ରାଶି। କୁହାଯାଉଛି ଯେ, ଯଦି ଆମେରିକାର ଋଣ ଏହି ବେଗରେ ବୃଦ୍ଧି ପାଏ ତେବେ ୨୦୫୪ ସୁଦ୍ଧା ଏହା ଦେଶର ଅର୍ଥନୀତିର ୧୬୬%ରେ ପହଞ୍ଚିଯିବ।