ହୀରାକୁଦ ଡ୍ୟାମରେ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ

ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡ ଛତିଶଗଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଫଳରେ ଡ୍ୟାମକୁ ଜଳ ପ୍ରବେଶ ଯୋଗୁ ବଢ଼ିଛି ଜଳସ୍ତର। ଏହାକୁ ଦୃଷ୍ଟିରେ ରଖି ବନ୍ୟା ଜଳ ନିଷ୍କାସନ ନିଷ୍ପତ୍ତି ନିଆଯାଇଛି। ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯିବ । ତା’ ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ଗେଟ୍ ଖୋଲିବ । ତେବେ ନିର୍ଦ୍ଧିଷ୍ଟ ଭାବେ କେତୋଟି ଗେଟ୍‌ ଖୋଲିବ ସେନେଇ ଆଜି ନିଷ୍ପତ୍ତି ନିଆଯିବ । ଆସନ୍ତା ୩୧ ତାରିଖ ଯାଏଁ ଛେଚିବ ବର୍ଷା । ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବର୍ଷାକୁ ଦେଖି ଆଜି ପାଇଁ ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୫ଟି ଜିଲ୍ଲା ହେଲା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା ଓ ନବରଙ୍ଗପୁର। ଏହି ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି। ତେଣୁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ କରିଦିଆଯାଇଛି।