ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ବଡ଼ ପରିବର୍ତ୍ତନ

ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌ ୪ରୁ ୩କୁ ହ୍ରାସ କରାଯାଇପାରେ। ଜିଏସ୍‌ଟିରେ ଏକାଧିକ ହାର ବ୍ୟବସ୍ଥା କାରଣରୁ ବର୍ଗୀକରଣକୁ ନେଇ ଦେଖାଯାଉଥିବା ବିବାଦର ସମାଧାନ ପାଇଁ ସରକାର ଏହି ପଦକ୍ଷେପ ନେଇପାରିବେ। ଏକ ସାକ୍ଷାତ୍‌କାରରେ ସେଣ୍ଟ୍ରାଲ ଏକ୍ସାଇଜ ଏବଂ କଷ୍ଟମସ୍‌ ବୋର୍ଡ (ସିବିଆଇସି) ଅଧ୍ୟକ୍ଷ ସଞ୍ଜୟ ଅଗ୍ରୱାଲ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ଉକ୍ତ ସାକ୍ଷାତ୍‌କାରରେ ସେ କହିଛନ୍ତି, ବିଭିନ୍ନ ପ୍ରକାର ଜିଏସ୍‌ଟି ହାର ହେତୁ ବର୍ଗୀକରଣ ବିବାଦ ଉପୁଜିଛି, ଯାହା ସଂଶୋଧନ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, ବର୍ତ୍ତମାନ ଲାଗୁହେଉଥିବା ୪ଟି ଜିଏସ୍‌ଟି ହାର ୫%, ୧୨%, ୧୮% ଏବଂ ୨୮%କୁ ୩ ବର୍ଗରେ ବିଭକ୍ତ କରାଯାଇପାରେ। ଜିଏସ୍‌ଟି ସଂଗ୍ରହ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ଆସନ୍ତା ମାସରେ ଏହି ଉନ୍ନତିମୂଳକ କାର୍ଯ୍ୟ ଶେଷ ହେବ ବୋଲି ସେ ନିଶ୍ଚିତ କରିଛନ୍ତି। ସୂଚନା ଥାଉକି, କେତେକ ଜରୁରୀ ଜିନିଷ ଉପରେ କୌଣସି ଜିଏସ୍‌ଟି ଥିବାବେଳେ ସୁନା ଉପରେ ୩ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇଥାଏ। ହାଇ ଏଣ୍ଡ ମୋଟର ଯାନ ଉପରେ ଜିଏସ୍‌ଟି ସେସ୍‌ ମଧ୍ୟ ଆଦାୟ କରାଯାଏ। ତେବେ ଅର୍ଥନୀତି ବିଶେଷଜ୍ଞମାନେ ବିଭିନ୍ନ ସମୟରେ ୫ ପ୍ରତିଶତ, ୧୨ରୁ ୧୮ ପ୍ରତିଶତ ଏବଂ ୨୮ପ୍ରତିଶତ ଟ୍ୟାକ୍ସ ହାରକୁ ନେଇ ଏକ ସ୍ଲାବ୍‌ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି।
ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ବଜେଟ ଭାଷଣରେ ଜିଏସ୍‌ଟିରେ ସମ୍ଭାବ୍ୟ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଥିଲେ। ଜିଏସ୍‌ଟିର ଲାଭକୁ ସରଳ କରିବା ପାଇଁ ଭବିଷ୍ୟତରେ ଏହାକୁ କରାଯିବ ଏବଂ ଜିଏସ୍‌ଟି ହାର ଗଠନକୁ ଯୁକ୍ତିଯୁକ୍ତ କରାଯିବ ଓ ଅନ୍ୟାନ୍ୟ କ୍ଷେତ୍ରକୁ ମଧ୍ୟ ଏହାର ଆଭିମୁଖ୍ୟରେ ଅଣାଯିବ ବୋଲି ସେ କହିଛନ୍ତି।