ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀରେ ଶନିବାର ନୀତି ଆୟୋଗର ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ । ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୬ରେ ନୂଆଦିଲ୍ଲୀ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଏହି ଗସ୍ତ ଅବସରରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି।

ନିଜ ଝିଅକୁ କାହିଁକି ଦଳରୁ ବାହାର କଲେ କେସିଆର୍

କେ. କବିତା କାହିଁକି ଦଳରୁ ତଡ଼ା ଖାଇଲେ ।  ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ  ଝିଅ, କାଲେଶ୍ୱରମ୍ ଲିଫ୍ଟ୍ ଇରିଗେସନ୍ ପ୍ରୋଜେକ୍ଟ ରେ ଅନିୟମିତତା ସମ୍ବନ୍ଧରେ ତାଙ୍କ କାକାଙ୍କ ପୁଅ ଟି. ହରିଶ୍ ରାଓ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଜେ. ସନ୍ତୋଷ୍ କୁମାରଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗଗୁଡ଼ିକ ପାରିବାରିକ ଦ୍ୱନ୍ଦ୍ୱକୁ ସାମ୍ନାକୁ ଆଣିଥିଲା ।  BRSର ଅନ୍ତର୍ଗତ ସଂଘର୍ଷକୁ ବଢ଼ାଇ ଦେଇଛି। କବିତା ଅଭିଯୋଗ କରିଛନ୍ତି ଯେ, BRS ଶାସନ କାଳରେ (୨୦୧୪-୨୦୨୩) ହରିଶ୍ ରାଓ ବର୍ଷ ପର୍ଯ୍ୟନ୍ତ ଜଳସେଚନ୍ ମନ୍ତ୍ରୀ ଭାବେ ରହିଥିଲେ ଏବଂ KLIP-ରେ ସେମାନଙ୍କର ବଡ଼ ଭୂମିକା ଥିଲା। ସେ ହରିଶ୍ ରାଓ ଏବଂ ସନ୍ତୋଷ୍ କୁମାରଙ୍କୁ “ଦୁର୍ନୀତିର ଆନାକୋଣ୍ଡା” କହି ଚିହ୍ନାଇଛନ୍ତି, ଯାହା ପ୍ରୋଜେକ୍ଟରେ ଅନିୟମିତତାର ପ୍ରମାଣ ଦର୍ଶାଏ।

 କବିତା ପଚାରିଛନ୍ତି ଯେ, KCRଙ୍କ ଉପରେ କାହିଁକି ଦୁର୍ନୀତିର ଅଭିଯୋଗ ଲଗାଯାଉଛି? ସେ କହିଛନ୍ତି ଯେ, ନିକଟତର ଲୋକମାନେ (ହରିଶ୍ ରାଓ ସମେତ) KCRଙ୍କ ନାଁର ସୁଯୋଗ ନେଇ ସମ୍ପତ୍ତି ଅର୍ଜନ୍ କରିଛନ୍ତି। ଏହା ପାରିବାରିକ ଫାଟକୁ ପ୍ରକାଶ କରିଛି ଏବଂ BRSର ଇମେଜକୁ କ୍ଷତି ପହଞ୍ଚାଇଛି।

 କବିତା ଦାବି କରିଛନ୍ତି ଯେ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏ. ରେବନ୍ତ୍ ରେଡ୍ଡି ଏବଂ ହରିଶ୍ ରାଓଙ୍କ ମଧ୍ୟରେ KLIP ସମ୍ବନ୍ଧରେ ଗୋପନୀୟ ସଂପର୍କ ରହିଛି। ତେଲେଙ୍ଗାନା ରାଷ୍ଟ୍ର ସମିତି (BRS)ରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଏକ ନୂତନ ମୋଡ଼ ନେଇଛି । ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (KCR) ତାଙ୍କ ଝିଅ ଏବଂ ବିଧାନସଭା ପରିଷଦ ସଦସ୍ୟ କେ. କବିତାଙ୍କୁ ଦଳରୁ ନିଲମ୍ବନ କରିବାକୁ ନେଇ ରାଜନୀତି ଜୋର ଧରିଛି । କାଲେଶ୍ୱରମ ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ (KLIP)ରେ ଅନିୟମିତତା ପାଇଁ କବିତା ତାଙ୍କ କାକାଙ୍କ ପୁଅ ଟି. ହରିସ ରାଓ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଜେ. ସନ୍ତୋଷ କୁମାରଙ୍କ ବିରୋଧରେ ସିଧାସଳଖ ଅଭିଯୋଗ କରିବା ପରେ ଦଳରେ ଫାଟ ବଢ଼ିଛି ।  କବିତାଙ୍କ ବୟାନ ପରିବାର ଭିତରେ ଥିବା ଫାଟକୁ ପ୍ରକାଶ କରିଛି, ଯାହା BRSର ଭାବମୂର୍ତ୍ତିକୁ ଆହୁରି କ୍ଷତି ପହଞ୍ଚାଇପାରେ ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ମେଡ୍‌ ଇନ୍‌ ଇଣ୍ଡିଆ ଚିପ୍ସର ପ୍ରଥମ ସେଟ୍‌ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାରତର ସେମିକଣ୍ଡକ୍ଟର ଯାତ୍ରା ଆଜି ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସର ପ୍ରଥମ ସେଟ୍ ଗ୍ରହଣ କରିଛନ୍ତି । ଡିସେମ୍ବର ୨୦୨୧ରେ ଆରମ୍ଭ ହୋଇଥିବା ସେମିକଣ୍ଡକ୍ଟର ମିଶନ ମାତ୍ର ସାଢ଼େ ତିନି ବର୍ଷ ମଧ୍ୟରେ ଅନୁମୋଦନ ଠାରୁ ଉତ୍ପାଦନ ପର୍ଯ୍ୟନ୍ତ ପହଞ୍ଚି ପାରିଛି । ଏହା ଦେଶ ପାଇଁ ଗୌରବର ବିଷୟ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି । ଏଥିସହିତ ଦୂରଦୃଷ୍ଟି, ଦୃଢ଼ ଇଚ୍ଛାଶକ୍ତି ଏବଂ ନିର୍ଣ୍ଣାୟକ ପଦକ୍ଷେପ ଲାଗି ପ୍ରଧାନମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ କହିଛନ୍ତି, ୭.୮% ଜିଡିପି ବିକାଶ ହାର ଠାରୁ ଆରମ୍ଭ କରି ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ସହିତ ବୃଦ୍ଧି ପାଉଥିବା ଏକ ସେମିକଣ୍ଡକ୍ଟର ଇକୋସିଷ୍ଟମ ବଳରେ ଭାରତ ସ୍ଥିରତାର ଏକ ଆଲୋକବର୍ତ୍ତିକା ପାଲଟିଛି।

କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରି କହିଛନ୍ତି, ଭାରତର ସେମିକଣ୍ଡକ୍ଟର ମିଶନ ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ସମ୍ମାନ ଦେବା, ଯୋଗାଣ ଶୃଙ୍ଖଳା ବିକାଶକୁ ସମର୍ଥନ କରିବା ଏବଂ ବିଶ୍ୱ ଅଂଶୀଦାରମାନଙ୍କ ସହିତ ସହ-ବିକାଶ ମଡେଲଗୁଡ଼ିକୁ ପ୍ରୋତ୍ସାହିତ କରିବାର ବିଶ୍ୱାସ ଉପରେ ଆଧାରିତ। ସେମିକନ୍ ଇଣ୍ଡିଆ ୨୦୨୫ ଅବସରରେ ୧୨ଟି ବୁଝାମଣାପତ୍ର (ଏମଓୟୁ) ଘୋଷଣା କରାଯାଇଛି। ଏହି ଏମଓୟୁଗୁଡ଼ିକରେ ଉତ୍ପାଦ ବିକାଶକୁ ବୃଦ୍ଧି କରିବା, ସେବା କ୍ଷମତାକୁ ବିସ୍ତାର କରିବା ଏବଂ ଦକ୍ଷତା ବିକାଶ କ୍ଷେତ୍ରକୁ ସୁଦୃଢ଼ ​​କରିବା ଉପରେ ଧ୍ୟାନ ଦିଆଯାଇଛି, ଯାହାର ଲକ୍ଷ୍ୟ ହେଉଛି ଦେଶରେ ଏକ ଆତ୍ମନିର୍ଭରଶୀଳ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ଗଠନ କରିବା।

ଅଭିନବ ଉଦ୍ଭାବନକୁ ଆହୁରି ସୁଦୃଢ଼ ​​କରିବା ପାଇଁ, ଶ୍ରୀ ବୈଷ୍ଣବ ଡିପ୍ ଟେକ୍ ମେଣ୍ଟ ଗଠନ ବିଷୟରେ ଘୋଷଣା କରିଛନ୍ତି । ଏଥିରେ ପ୍ରାୟ ଏକ ବିଲିୟନ ଡଲାର ପୁଞ୍ଜିନିବେଶ ହେବ । ପ୍ରାରମ୍ଭରେ ସେମିକଣ୍ଡକ୍ଟର ଉପରେ ଧ୍ୟାନ ଦେଇ ଏହି ମେଣ୍ଟ ସ୍ୱଚ୍ଛ ଶକ୍ତି, ଜୈବ ପ୍ରଯୁକ୍ତିବିଦ୍ୟା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଏବଂ ମହାକାଶ ଭଳି ଅନ୍ୟାନ୍ୟ କ୍ଷେତ୍ରକୁ ବିସ୍ତାରିତ ହେବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏହା ଉଦୀୟମାନ ଡିପ୍ ଟେକ୍ ଶିଳ୍ପ ପାଇଁ ଅତ୍ୟନ୍ତ ଆବଶ୍ୟକ ଭେଞ୍ଚର ପୁଞ୍ଜି ସହାୟତା ପ୍ରଦାନ କରିବ। ଭାରତୀୟ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ୧.୦ର ସଫଳତାକୁ ଆଧାର କରି, ସରକାର ଆଇଏସଏମ ୨.୦ ଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଏହା ସମଗ୍ର ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାକୁ ସାମିଲ କରିବା ପାଇଁ ଫ୍ୟାବ୍ସ, ଓଏସଏଟି ୟୁନିଟ୍, ପୁଞ୍ଜି ଉପକରଣ ଏବଂ ସାମଗ୍ରୀ ପାଇଁ ସମର୍ଥନକୁ ବ୍ୟାପକ କରିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦଶଟି ଅନୁମୋଦିତ ସେମିକଣ୍ଡକ୍ଟର ପ୍ରକଳ୍ପରେ ରପ୍ତାନି ଏକ ଅବିଚ୍ଛେଦ୍ୟ ଅଂଶବିଶେଷ ହେବ । ଭାରତରେ ନିର୍ମିତ ଚିପ୍ସ ଘରୋଇ ଏବଂ ବିଶ୍ୱ ବଜାର ଉଭୟକୁ ସେବା ଯୋଗାଇବ। ସେ କହିଛନ୍ତି, ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ବିଶ୍ୱସ୍ତରରେ ୧୫ରୁ ୩୦% ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇପାରିଥିବା ନିରପେକ୍ଷ ଅଧ୍ୟୟନରୁ ଜଣାପଡ଼ିଛି । ଭାରତ କେବେବି ପ୍ରକଳ୍ପ ଅନୁମୋଦନ ପାଇଁ ତରବର ହୋଇନାହିଁ, ବରଂ ଦୀର୍ଘସ୍ଥାୟୀ ପ୍ରଗତି ପାଇଁ ପେସାଦାର ମୂଲ୍ୟାଙ୍କନ ସୁନିଶ୍ଚିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସେମିକନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ବହୁ ବିଶ୍ୱସ୍ତରୀୟ କମ୍ପାନୀ ଅଂଶଗ୍ରହଣ କରିଛନ୍ତି । ଏହା ଭାରତ ପ୍ରତି ବିଶ୍ୱର ଭରସାକୁ ପ୍ରତିଫଳିତ କରୁଛି ।

ଲଗାଣ ବର୍ଷାରେ ବେହାଲ ହେଲାଣି ଦେଶର ରାଜଧାନୀ , ଘରେ ପସିଲାଣି ଯମୁନା ପାଣି

ଲଗାଣ ବର୍ଷାରେ ବେହାଲ ହେଲାଣି ଦେଶର ରାଜଧାନୀ। ଦିଲ୍ଲୀରେ ବର୍ତ୍ତମାନ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଯମୁନା ନଦୀରେ ଜଳସ୍ତର ବୃଦ୍ଧି। ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ଲଗାତାର ବଢ଼ିବାରେ ଲାଗିଛି। ହଥିନି କୁଣ୍ଡ ବ୍ୟାରେଜରୁ ନିରନ୍ତର ଛଡ଼ାଯାଉଥିବା ବନ୍ୟା ପାଣି ରାଜଧାନୀ ପାଇଁ ବିପଦର ଘଣ୍ଟି ବଜାଇଛି। ସୋମବାର ସକାଳେ ବ୍ୟାରେଜରୁ ପ୍ରାୟ ୩ଲକ୍ଷ ୨୯ହଜାର କ୍ୟୁସେକ ପାଣି ଛଡ଼ାଯାଇଥିଲା। ଏହା ସିଧାସଳଖ ଦିଲ୍ଲୀକୁ ପ୍ରଭାବିତ କରିଛି। ରାତିସାରା ପ୍ରବଳ ବର୍ଷା ପରେ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରକୁ ଯିବାରୁ ଏବେ ବନ୍ୟା ଜଳ ଦିଲ୍ଲୀ-ଏନସିଆରରେ ଥିବ‌ା ଘରଗୁଡ଼ିକରେ ପ୍ରବେଶ କରିଛି। ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବିଶେଷକରି ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି।ଆଗ୍ରାରେ ମଧ୍ୟ ଯମୁନା ତାର ଭୟଙ୍କର ରୂପ ଦେଖାଇବାରେ ଲାଗିଛି। ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପହଞ୍ଚିଛି। ଘାଟରୁ ଶ୍ମଶାନ ପର୍ଯ୍ୟନ୍ତ ସବୁକିଛି ବୁଡ଼ି ଯାଇଛି। ତାଜଗଞ୍ଜ ଶ୍ମଶାନରେ ମୋକ୍ଷ ଧାମ ସ୍ଥଳ ବୁଡ଼ି ଯାଇଥିବା ଜଣାଯାଇଛି। ଏନେଇ ଆଗ୍ରା ପ୍ରଶାସନ ସତର୍କତା ଅବଲମ୍ବନ କରି ଯମୁନା କୂଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଛି।

ସୋମବାର ୨ଘଣ୍ଟାର ବର୍ଷାରେ ଗୁରୁଗ୍ରାମରେ ୨୦କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଜାମ୍ ଲାଗିଥିଲା ବୋଲି ଜଣାଯାଇଛି। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି। ଅନ୍ୟପକ୍ଷରେ ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପାଉବାକୁ ଥିବାରୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମଏ) ସୋମବାର ଦିନ ପୁରୁଣା ରେଳ ସେତୁରେ ସନ୍ଧ୍ୟା ୫ଟାରୁ ଯାତାୟାତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଳବନ୍ଦୀ ସମସ୍ୟା ଏବଂ କମ୍ ଦୃଶ୍ୟମାନ୍ୟତା ଯୋଗୁଁ ରାଜଧାନୀରେ ବିମାନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହେଉଛି, ଯାହା ଫଳରେ ବିମାନ କମ୍ପାନିଗୁଡ଼ିକ ଯାତ୍ରା ପରାମର୍ଶ ଜାରି କରିଛନ୍ତି।

ଯଦି ଆମେ ଦେଖିବ‌ା ତେବେ ୨୦୨୩ ମସିହାରେ ଦିଲ୍ଲୀ ଏହାର ସବୁଠାରୁ ଖରାପ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ଯେତେବେଳେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ଏହା ଫଳରେ ୨୫,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ସୁପ୍ରିମକୋର୍ଟ କହିଲେ TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ, ଶିକ୍ଷକଙ୍କ ଚିନ୍ତା ବଢ଼ିଲା

ଟିଇଟି ଉତ୍ତୀର୍ଣ୍ଣ ହୋଇ ନ ପାରିଲେ ବାଧ୍ୟତାମୂଳକ ଅବସର ଦିଆଯିବ

ସୁପ୍ରିମକୋର୍ଟ କହିଲେ TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ, ଶିକ୍ଷକଙ୍କ ଚିନ୍ତା ବଢ଼ିଲା । ପାଠପଢ଼ାର  କ୍ବାଲିଟି ଉପରେ ସାଲିସ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ ।  ଟିଚର ଇଲିଜିବିଲିଟି ଟେଷ୍ଟ (TET) ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ବର୍ତ୍ତମାନ ଯେଉଁ ଶିକ୍ଷକମାନେ ଚାକିରିରେ ଅଛନ୍ତି ୨ ବର୍ଷରେ ସେମାନଙ୍କୁ TET  ପାସ୍‌ କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯେଉଁ ଶିକ୍ଷକଙ୍କ ଅବସର ଆଉ ୫ ବର୍ଷରୁ କମ୍‌ ଅଛି ସେମାନଙ୍କ ପାଇଁ ଏହା ଦରକାର ପଡିବନାହିଁ । କିନ୍ତୁ ଅବସର ୫ ବର୍ଷରୁ ଊର୍ଦ୍ଧ୍ବ ଥିଲେ ଟିଇଟି ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ହେବ । ଟିଇଟି ଉତ୍ତୀର୍ଣ୍ଣ ହୋଇ ନ ପାରିଲେ ବାଧ୍ୟତାମୂଳକ ଅବସର ଦିଆଯିବ ।

ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ, ଗଲାଣି ୮୦୦ ରୁ ଅଧିକ ଜୀବନ

ରବିବାର ଅଗଷ୍ଟ ୩୧ ତାରିଖ ବିଳମ୍ବିତ ରାତିରେ ଆଫଗାନିସ୍ତାନରେ ଘଟିଥିବା ଭୂମିକମ୍ପ ଧ୍ୱଂସକାରୀ ସାବ୍ୟସ୍ତ ହୋଇଛି। ପାକିସ୍ତାନ ସୀମା ନିକଟରେ ପୂର୍ବ ଆଫଗାନିସ୍ତାନରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିଲା ବୋଲି କୁହାଯାଉଛି। ରାତିରେ ଭୂକମ୍ପ ହୋଇଥିବାରୁ ମୃତ୍ୟୁସଂଖ୍ୟା ଅଧିକ ଥିବା କୁହାଯାଉଛି। ତାଲିବାନ ସରକାରଙ୍କ ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ଏହି ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୮୦୦ ରୁ ଅଧିକ ହୋଇଛି। ଏହା ବ୍ୟତୀତ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଏହା ସହିତ ବହୁମୂଲ୍ୟ ସମ୍ପତ୍ତିର କ୍ଷତି ଘଟିଛି।

ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ ହେବାର ଇତିହାସ ରହିଛି। ୭ ଅକ୍ଟୋବର, ୨୦୨୩ରେ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଥିଲା। ତାଲିବାନ ସରକାର ଆକଳନ କରିଥିଲା ଯେ, ଅତି କମରେ ୪,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଆଫଗାନିସ୍ତାନ ଇତିହାସରେ ହୋଇଥିବା ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା। ଏଥର ମଧ୍ୟ ସମାନ ତୀବ୍ରତାର ଭୂକମ୍ପ ହୋଇଥିବା‌ରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।ସୂଚନା ମୁତାବକ, ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ୬.୦ ତୀବ୍ରତା ଭୂମିକମ୍ପର ଉତ୍ପତ୍ତିସ୍ଥଳ ନାଙ୍ଗରହାର ପ୍ରଦେଶର ଜଲାଲାବାଦ ସହରରୁ ୨୭କିଲୋମିଟର ପୂର୍ବରେ ଥିଲା। ଭୂକମ୍ପର କେନ୍ଦ୍ର ଭୂମିରୁ ମାତ୍ର ୮କିଲୋମିଟର ତଳେ ଥିଲା। ପ୍ରାୟ ୨୦ମିନିଟ୍ ପରେ, ସେହି ପ୍ରଦେଶରେ ଦ୍ୱିତୀୟ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ୪.୫ ଏବଂ ଗଭୀରତା ୧୦କିଲୋମିଟର ଥିଲା।