ଓଡ଼ିଶାରେ ହେବ ପାୱାର ପ୍ଲାଣ୍ଟ
ଓଡ଼ିଶାରେ ଆଉ ଏକ ନୂଆ ପାୱାର ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଛି। ସିଙ୍ଗାରେନି କଲିଅରିଜ୍ କମ୍ପାନି ଲିମିଟେଡ୍ (ଏସ୍ସିସିଏଲ୍) ଏହି ପ୍ଲାଣ୍ଟ ସ୍ଥାପନ କରିବା ଉପରେ ବିଚାର କରୁଛି। କମ୍ପାନିକୁ ଛେଣ୍ଡିପଦାରେ ଆବଣ୍ଟନ କରାଯାଇଥିବା ନଇନି କୋଇଲା ଖଣି ପାଖାପାଖି ଅଞ୍ଚଳରେ ସେହି ପ୍ଲାଣ୍ଟକୁ ସ୍ଥାପନ କରାଯିବ। ଦୀର୍ଘଦିନ ଧରି ପ୍ରଶାସନିକ ଅବହେଳାର ଶିକାର ହୋଇ ନଇନି କୋଇଲା ଖଣି କାର୍ଯ୍ୟକ୍ଷମ ହୋଇପାରୁନଥିଲା। ମାତ୍ର ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ମାମଲାର ସମାଧାନ ହୋଇଛି। ଖଣିକୁ କାର୍ଯ୍ୟକ୍ଷମ କରିବା ଲାଗି ଆବଶ୍ୟକ ଥିବା ୬୪୩ ହେକ୍ଟର ଜଙ୍ଗଲ ଜମି ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ସହମତ ହୋଇଛନ୍ତି। ନଇନି କୋଇଲା ଖଣି ସିଙ୍ଗାରେନିର କୋଇଲା ଆବଶ୍ୟକତା ପୂରଣ କରିବା ଲାଗି ଯଥେଷ୍ଟ। ଏହା ତିନି ମାସ ଭିତରେ ଖଣିରୁ ଉତ୍ପାଦନ ଆରମ୍ଭ କରିବା ଉପରେ କାମ କରୁଛି। ଏଥି ସହିତ ୮୦୦ ମେଗାୱାଟ୍ ବିଶିଷ୍ଟ ଦୁଇଟି ନୂଆ କାରଖାନା ସ୍ଥାପନ କରିବାକୁ ମଧ୍ୟ କମ୍ପାନି ଯୋଜନା ରଖିଛି। ସେଥିରୁ ଗୋଟିଏ ପାୱାର ପ୍ଲାଣ୍ଟକୁ କୋଇଲା ଖଣିଠାରୁ ୪୦-୫୦ କିଲୋମିଟର ଭିତରେ ସ୍ଥାପନ କରିବା ଉପରେ ବିଚାର କରାଯାଉଛି। ସେଥିପାଇଁ ୭୫୦ରୁ ୧୦୦୦ ଏକର ଜମି ଅଧିଗ୍ରହଣ କରିବାକୁ କମ୍ପାନି ଯୋଜନା ରଖିଛି।