ବାତ୍ୟା ବେରିଲ୍ ଜାମାଇକା ମୁହାଁ ହୋଇଛି
ବାତ୍ୟା ବେରିଲ୍ ଜାମାଇକା ମୁହାଁ ହୋଇଛି। ବେରିଲ୍ ବୁଧବାର ଜାମାଇକାରେ ଲ୍ୟାଣ୍ଡଫଲ୍ କରିବ। ତେଣୁ ଟି -୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଭାରତୀୟ ଦଳ ସୁରକ୍ଷା ଦୃଷ୍ଟିରୁ ବାରବାଡୋସରେ ଅଟକି ରହିଛନ୍ତି। ବେରିଲ୍ କେବଳ କାରିବିଆନ୍ ଦେଶରେ ନୁହେଁ, ଆମେରିକା, ଭେନେଜୁଏଲା ଏବଂ ବ୍ରାଜିଲରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି। ଏହି ବାତ୍ୟାକୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୭ଜଣ ଏଥିରେ ପ୍ରାଣ ହରାଇଛନ୍ତି। ବୁଧବାର ଏହି ବାତ୍ୟା କାରିବିଆନ୍ ଦେଶ ଜାମାଇକାକୁ ଧକ୍କା ଦେବାକୁ ଯାଉଛି।ନ୍ୟାସନାଲ ହରିକେନ ସେଣ୍ଟର ଅନୁଯାୟୀ, ବେରିଲ୍ ଏକ ଶକ୍ତିଶାଳୀ ଝଡ, ଯାହାକୁ ଶ୍ରେଣୀ ୪ ରେ ରଖାଯାଇଛି। ବେରିଲ୍ କାରଣରୁ ଘଣ୍ଟା ପ୍ରତି ୧୫୦କିଲୋମିଟର ବେଗରେ ପବନ ବହିବାରେ ଲାଗିଛି। ଏହାର ଝଡ଼ ଅନେକ ଦେଶ ପାଇଁ ବିପଦ ପାଲଟିଛି। ଗ୍ରେନାଡାର ପ୍ରଧାନମନ୍ତ୍ରୀ ଡଙ୍କନ୍ ମିଚେଲ କହିଛନ୍ତି ଯେ ସୋମବାର ଏହି ଘୂର୍ଣ୍ଣିବଳୟ ଗ୍ରେନାଡା ଉପକୂଳରେ ପହଞ୍ଚିଛି ଏବଂ ଅଧ ଘଣ୍ଟା ମଧ୍ୟରେ ଏହା ସବୁକିଛି ନଷ୍ଟ କରି ଦେଇଛି। ଏହି ଝଡ଼ରେ ତିନି ଜଣ ପ୍ରାଣ ହରାଇଛନ୍ତି।ଗ୍ରେନାଡାକୁ ଧକ୍କା ଦେବା ପରେ ବେରିଲ୍ ଭେନେଜୁଏଲା ମୁହାଁ ହୋଇଥି ଲା। ଏହି ଘୂର୍ଣ୍ଣିବଳୟ ଭେନେଜୁଏଲାରେ ୩ ଜଣଙ୍କ ଜୀବନ ନେଇଛି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଡୁରୋ କହିଛନ୍ତି ମୃତକଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି। ଚାରି ଜଣ ନିଖୋଜ ଅଛନ୍ତି। ବେରିଲ୍ ଝଡ଼ ଯୋଗୁଁ ୮୦୦୦ ଘର ପ୍ରଭାବିତ ହୋଇଛି ଏବଂ ୪୦୦ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।