ଚାଷୀଙ୍କୁ ଆରମ୍ଭରୁ ଧୋକା ଦେଇଛି ମୌସୁମୀ

ଯାଜପୁର ଜିଲାରେ ଚାଷୀମାନଙ୍କୁ ଆରମ୍ଭରୁ ଧୋକା ଦେଇଛି ମୌସୁମୀ। ଜିଲାରେ ଜୁନ ମାସରେ ସ୍ବାଭାବିକ ବୃଷ୍ଟିପାତ ୨୩୨.୯ ମିମି ନିଦ୍ଧର୍ର୍ାରିତ ହୋଇଛି। ହେଲେ ଚଳିତ ମାସ ୨୪ ତାରିଖ ସୁଦ୍ଧା ଏହାର ୫୫ ପ୍ରତିଶତ କମ୍‌ ଅର୍ଥାତ ହାରାହାରି ୧୦୬.୭୧ ମିମି ବର୍ଷା ହୋଇଛି।

ରସୁଲପୁର ବ୍ଲକରେ ସର୍ବନିମ୍ନ ୪୧ ମିମି ଓ କ୍ରୋମାଇଟ ଖଣିରେ ଭରପୂର ସୁକିନ୍ଦା ବ୍ଲକରେ ୫୩ ମିମି ବର୍ଷା ରେକର୍ଡ କରାଯାଇଛି। ଖଣି ଖନନ ପାଇଁ ଜଙ୍ଗଲ ଜମିକୁ ପରିବର୍ତ୍ତନ କରାଯାଇ ବ୍ୟାପକ ଗଛ କଟା ହେବା ସାଙ୍ଗକୁ ଶିଳ୍ପ ପ୍ରଦୂଷଣ ଅସ୍ବାଭାବିକ ବର୍ଷାର ମୁଖ୍ୟ କାରଣ ହୋଇଥିବାବେଳେ ଚାଷୀକୁଳ ହତାଶ ହୋଇପଡ଼ୁଛନ୍ତି।

ଜୁନ ୨୪ ସୁଦ୍ଧା ଜିଲାର ବଡଚଣା ବ୍ଲକରେ ୧୪୯ ମିମି, ବରୀରେ ୧୬୯, ବିଞ୍ଝାରପୁରରେ ୧୩୧, ଦାନଗଦିରେ ୧୧୮, ଦଶରଥପୁରରେ ୧୪୦, ଧର୍ମଶାଳାରେ ୮୨, ଯାଜପୁରରେ ୭୫ି, କୋରେଇରେ ୧୦୮ି, ରସୁଲପୁରରେ ୪୧ ଓ ସୁକିନ୍ଦାରେ ୫୩ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏଥିରୁ ଖଣି ଓ ଶିଳ୍ପାଞ୍ଚଳ ତଥା ଏହାର ପଡୋଶୀ ବ୍ଲକ ଅଞ୍ଚଳରେ ସ୍ବାଭାବିକ ବର୍ଷା ହୋଇ ନ ଥିବା ସ୍ପଷ୍ଟ ହେଉଛି। ଅନ୍ୟପକ୍ଷେ ଜିଲାରେ ନଦୀନାଳ ଭରି ରହିଥିଲେ ମଧ୍ୟ ସେହି ଅନୁପାତରେ ଜଳସେଚନ ବ୍ୟବସ୍ଥା ନାହିଁ ା ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ହେଲେ ସେଥିରୁ ମଧ୍ୟ ଆବଶ୍ୟକ ଜଳସେଚନ ହୋଇପାରିନାହିଁ। ରେଙ୍ଗାଲି ଜଳସେଚନ ପ୍ରକଳ୍ପର ବାମ କେନାଲ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ବିପଦବେଳେ କେନାଲ, କ୍ଷୁଦ୍ରଜଳସେଚନ ପ୍ରକଳ୍ପ, ବୋରୱେଲ ଆଦି କାମକୁ ଲାଗୁନାହିଁ ବୋଲି ମତପ୍ରକାଶ ପାଇଛି।