ଟି-୨୦ ବିଶ୍ୱକପ : ଆଜି ଭାରତ -ବାଂଲାଦେଶ ମୁକାବିଲା

ଟି-୨୦ ବିଶ୍ୱକପ ୨୦୨୪ ସୁପର-୮ ଗ୍ରୁପ-ଏ ରେ ଭାରତ ଶନିବାର ବାଂଲାଦେଶକୁ ଭେଟିବ। ଶୀର୍ଷ ବ୍ୟାଟିଂ କ୍ରମ ପୁଣି ଥରେ ନିରାଶ କରିଥିଲେ ମଧ୍ୟ ଦଳଗତ ପ୍ରଦର୍ଶନରେ ଭାରତ ପ୍ରଥମ ମ୍ୟାଚ୍‌କୁ ସହଜରେ ଜିତିପାରିଥିଲା। ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠୁ ପରାଜିତ ହେବା ପରେ ସୁପର-୮ରେ ପ୍ରଥମ ବିଜୟ ସନ୍ଧାନରେ ରହିବ। ବାଂଲାଦେଶ ବିପକ୍ଷରେ ଭାରତ ବିଜୟୀ ହେଲେ ସେମିଫାଇନାଲ୍‌ ପାଇଁ ଗୋଟିଏ ପାଦ ବଢ଼ାଇବ।ପ୍ରାରମ୍ଭିକ ଯୋଡ଼ିକୁ ନେଇ ଭାରତ ଚଳିତ ବିଶ୍ବକପ୍‌ରେ ଯେଉଁ ପରୀକ୍ଷା କରିଛି, ସେଥିରେ ସଫଳତା ମିଳିନି। ତଥାପି ଯଶସ୍ବୀ ଜୟସ୍ବାଲଙ୍କୁ ବାହାରେ ବସାଯାଇ ରୋହିତ ଶର୍ମାଙ୍କ ସହ ବିରାଟ କୋହଲିଙ୍କୁ ବ୍ୟାଟିଂ ଆରମ୍ଭ କରିବାକୁ ପଠାଯାଉଛି। କିନ୍ତୁ ବାରମ୍ବାର ଜୟସ୍ବାଲଙ୍କୁ ସୁଯୋଗ ଦିଆଯିବା ଉପରେ ଦାବି ଉଠୁଥିଲେ ମଧ୍ୟ ଭାରତୀୟ ଦଳ ଭିନ୍ନ ରଣନୀତି ରଖୁଛି। ସେହିପରି ଶିବମ ଦୁବେଙ୍କ ବ୍ୟାଟିଂ ପ୍ରଦର୍ଶନକୁ ନେଇ ମଧ୍ୟ ପ୍ରଶଂସକ ନିରାଶ ହୋଇଛନ୍ତି। ଆଇପିଏଲ୍‌ ବେଳେ ମଝି ଓ ଡେଥ୍‌ ଓଭରରେ ବଡ଼ ଛକା ମାରିବା ପାଇଁ ସେ ପରିଚିତ ଥିଲେ। ସମାନ କଥା ଭାରତୀୟ ଦଳ ସହିତ ଘଟୁ ବୋଲି ପ୍ରଶଂସକ ଅପେକ୍ଷା କରିଛନ୍ତି। କିନ୍ତୁ କେବଳ ଆମେରିକା ବିପକ୍ଷରେ (୩୧*) ସେ ବ୍ୟାଟିଂ କରି ଦଳକୁ ଜିତାଇଥିଲେ ମଧ୍ୟ ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ତାଙ୍କ ପ୍ରଦର୍ଶନ ୦* (ଆୟର୍ଲାଣ୍ଡ), ୩ (ପାକିସ୍ତାନ), ୧୦ (ଆଫଗାନିସ୍ତାନ) ରନ୍‌ ରହିଛି।