କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ
କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ କରିଛନ୍ତି ଅସନ୍ତୁଷ୍ଟ ଯୁବକ । ମୁହଁରେ ମୁଖା ପିନ୍ଧି ଆସି କାଳିମାଡ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । କାଳିମାଡ କରିବା ସହ ପିସିସି ସଭାପତିଙ୍କ ବିରୋଧରେ ନାରା ବାଜି କରିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ନିର୍ବାଚନ ପରିଚାଳନାକୁ ନେଇ କର୍ମୀ ଅସନ୍ତୁଷ୍ଟ ଥିବା କୁହାଯାଉଛି । ତେବେ କାଳି ମାଡର ସଠିକ କାରଣ ଏଯାଏଁ ଜଣାପଡିନାହିଁ ।ଭିଡିଓ ଅନୁସାରେ କିଛି ଯୁବକ କର୍ମୀ ଶରତଙ୍କ ରୁମ ଭିତରକୁ ପଶିଲେ । ତାଙ୍କ ସହ କଥା ହୋଇ ହାତ ମଧ୍ୟ ମିଳାଇଲେ । କିନ୍ତୁ ହଠାତ୍ ଲୁଚାଇ ରଖିଥିବା କାଳି ବୋତଲ ବାହାର କରି ତାଙ୍କ ଉପରକୁ କାଳି ଛାଟି ଦେଇଥିଲେ । ସେମାନଙ୍କ ମଧ୍ୟରୁ କିଛି ମୁହଁରେ ମୁଖା ପିନ୍ଧିଥିବାବେଳେ ଆଉ କିଛି ଖୋଲା ମୁହଁରେ ଥିଲେ ।
କାଳିମାଡ଼କୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ଶରତ କହିଛନ୍ତି, ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି। ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା। ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନାହିଁ।
ଭାଜପା କିମ୍ବା ଅନ୍ୟ କାହା ଦ୍ବାରା ପ୍ରରୋଚିତ ଦୁର୍ବୃତ୍ତ ଏମିତି କରିଛନ୍ତି। କଂଗ୍ରେସ ଉତ୍ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ। ଏମିତି କେତେ ଆସିଛନ୍ତି, ଯାଇଛନ୍ତି; ସେସବୁ ଖାତିର୍ କରେନି। କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି ଶରତ କହିଛନ୍ତି।