ବଜେଟ୍‌ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତା ଓ ପ୍ରସ୍ତାବ ରହିବା ଦରକାର – ମୁଖ୍ୟମନ୍ତ୍ରୀ

ବଜେଟ୍ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତା ଓ ପ୍ରସ୍ତାବ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ପ୍ରସ୍ତୁତ କରିବା ଲାଗି ଅର୍ଥ ବିଭାଗ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ସେଥିପାଇଁ ନିଜର ମତାମତ‌ ଦେବାକୁ ଶ୍ରୀ ମାଝୀ ସାଧାରଣ ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ରାଜ୍ୟ ବଜେଟ୍ ଲାଗି ଲୋକମାନେ ଇ-ମେଲ୍‌, ହ୍ବାଟସ୍‌ଆପ୍ ଓ ଏସ୍‌ଏମ୍ଏସ୍‌ ଜରିଆରେ ନିଜର ମତାମତ ପଠାଇପାରିବେ। ସୂଚନା ପ୍ରଯୁକ୍ତିକୁ ବ୍ୟବହାର କରି ବଜେଟ୍ ପ୍ରସ୍ତୁତି ଲାଗି ମତାମତ ସଂଗ୍ରହ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜୋର ଦେଇଛନ୍ତି। ପାରମ୍ପରିକ ଭାବେ ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ମାନଙ୍କର ମତାମତ ନେଇ ବଜେଟ୍‌ର ପୂର୍ବ ପ୍ରସ୍ତୁତି କରୁଛି।ବଜେଟ୍ ପାଇଁ ଅର୍ଥ ବିଭାଗ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ଜରିଆରେ ଇମେଲ୍‌, ହ୍ବାଟସ୍‌ଆପ୍ ଓ ଏସ୍‌ଏମ୍ଏସ୍‌ ମାଧ୍ୟମରେ ମତାମତ ସଂଗ୍ରହ କରିବାକୁ ଯୋଜନା କରିଛି। ଅର୍ଥ ବିଭାଗ ଜନ ସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ୱାନ କରୁଛି। ତାହା https://budget.odisha.gov.in/ ପୋର୍ଟାଲ୍‌ରେ ଉପଲବ୍ଧ ରହିଛି। ଲୋକମାନେ ନିଜ ମତାମତକୁ [email protected] ଇ-ମେଲ୍‌ ଠିକଣା, ୯୪୩୮୧୬୧୧୧୧ ହ୍ବାଟସ୍‌ଆପ୍ ନମ୍ବରକୁ ପଠାଇପାରିବେ। ଏହା ବ୍ୟତୀତ ସାମାଜିକ ଗଣମାଧ୍ୟମ ଏକ୍ସରେ @fdodisha, ଫେସ୍‌ବୁକ୍‌ରେ @FinanceOdisha ଓ ଇନ୍‌ଷ୍ଟାଗ୍ରାମ୍‌ରେ @fdodisha ହାଣ୍ଡେଲ୍‌ ଦ୍ୱାରା ମଧ୍ୟ ପଠାଇ ପାରିବେ। ଏହି ସୁବିଧା ଜୁନ୍ ୨୦ରୁ ଜୁଲାଇ ୫ ପର୍ଯ୍ୟନ୍ତ ଉପଲବ୍ଧ ରହିବ।