୨୦୨୩-୨୪ରେ ୟୁଏଇରୁ ସୁନା ଆମଦାନିରେ ୨୧୦ ପ୍ରତିଶତ ବୃଦ୍ଧି ଘଟିଛି

ୟୁନାଇଟେଡ୍ ଆରବ ଏମିରେଟ୍‌ସ (ୟୁଏଇ) ଏବେ ସୁନା ଆମଦାନିର ପ୍ରମୁଖ ସ୍ଥଳ ଭାବେ ଉଭା ହୋଇଛି। ସରକାରଙ୍କ ସହ ରହିଥିବା ମୁକ୍ତ ବାଣିଜ୍ୟ ରାଜିନାମା‌ (ଏଫ୍‌ଟିଏ)ରେ ଟିକସ କମ୍ ରହୁଥିବାରୁ ଆମଦାନିକାରୀମାନେ ସେଠାରୁ ଅଧିକ ସୁନା ଓ ରୁପା ଆଣିବା ଉପରେ ଜୋର ଦେଉଛନ୍ତି। ସେଥିପାଇଁ ୨୦୨୩-୨୪ରେ ୟୁଏଇରୁ ସୁନା ଆମଦାନିରେ ୨୧୦ ପ୍ରତିଶତ ବୃଦ୍ଧି ଘଟିଛି। କେବଳ ଏହି ଦେଶରୁ ୧୦୭୦ କୋଟି ଡଲାରର ସୁନା ଭାରତ ଆସିଛି।

ୟୁଏଇ ସହିତ ହୋଇଥିବା ରାଜିନାମାରେ ସୁନା ଆମଦାନିକୁ ନେଇ ଯେଉଁ ସୁବିଧା ରହିଛି ସେଥିରେ ସଂଶୋଧନ କରିବାକୁ ଦାବି ହୋଇଛି। ଚୁକ୍ତି ଅନୁସାରେ ଅସୀମିତ ପରିମାଣର ରୁପା ଆମଦାନି ଉପରେ ୭ ପ୍ରତିଶତ ଟିକସ କିମ୍ବା ସୀମା ଶୁଳ୍କ ଛାଡ଼ ରହିଥିବା ବେଳେ ୧୬୦ ଟନ୍ ପର୍ଯ୍ୟନ୍ତ ସୁନା ଆମଦାନି ଉପରେ ୧ ପ୍ରତିଶତ ଟିକସ ରହିଛି। ଏହି ଚୁକ୍ତି ୨୦୨୨ ମେ’ରୁ କାର୍ଯ୍ୟକାରୀ ହୋଇଛି। ଗିଫ୍ଟ ସିଟିରେ ଥିବା ଭାରତ ଅନ୍ତର୍ଜାତୀୟ ବୁଲିଅନ୍ ଏକ୍ସଚେଞ୍ଜ ଜରିଆରେ ସୁନା ଓ ରୁପା ଆମଦାନି କରିବା ଲାଗି ଘରୋଇ ସଂସ୍ଥାଗୁଡ଼ିକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି।

ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍‌ (ଜିଟିଆର୍‌ଆଇ)ର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ କହିଛନ୍ତି ଯେ ୟୁଏଇରୁ ଯେଉଁ ପରିମାଣରେ ସୁନା ଆମଦାନି ହେଉଛି ତାହା ଦୀର୍ଘସ୍ଥାୟୀ ହେବନାହିଁ। କାରଣ ୟୁଏଇରେ ସୁନା ଖଣି ନାହିଁ। ଭାରତରେ ସୁନା, ରୁପା ଓ ଗହଣା ଉପରେ ଲଗାଯାଇଥିବା ୧୫ ପ୍ରତିଶତ ଟିକସ ସମସ୍ୟାର ମୂଳ କାରଣ। ସେଥିପାଇଁ ସୁନାର ବ୍ୟାପକ ଚୋରାଚାଲାଣ ଓ ଅପବ୍ୟବହାର ହେଉଛି। କମ୍ ଦାମ୍‌ରେ ସୁନା ଆମଦାନି କରୁଥିବା ବ୍ୟବସାୟୀମାନେ ଅଧିକ ଲାଭ ପାଉଛନ୍ତି।